ଭୁବନେଶ୍ୱର : ପରପାରିରେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ | ୪୭ ବର୍ଷ ବୟସରେ ପିଣ୍ଟୁଙ୍କ ପରଲୋକ ଘଟିଛି । ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି। ସେ କିଛିଦିନ ହେବ ଲିଭର୍ ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ କହିବା ପରେ ଗତ ଫେବୃଆରୀ ୭ ତାରିଖରେ ତାଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ – ଆଇଏଲବିଏସରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନ କରିବାରୁ ଡୋନର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଡୋନର ମିଳିନଥିଲା ଫଳରେ ତାଙ୍କୁ ଫେବୃଆରୀ ୨୫ରେ ହାଇଦ୍ରାବାଦର ଯଶୋଦା ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ଦେହାନ୍ତରେ ଟ୍ୱିଟ୍ କରି ଶୋକ ପ୍ରକାଶ କରି ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ । ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
ଏଥିସହ ଓସିଏ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି | ସେହିପରି ପିଣ୍ଟୁଙ୍କ ପରଲୋକରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ପିଣ୍ଟୁଙ୍କ ପରଲୋକ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଜେଡି ସାଂସଦ ଟୁଇଟ କରିଛନ୍ତି।