ଗିଲଙ୍ଗ୍ : ଗିଲଙ୍ଗ ( ଅଷ୍ଟ୍ରେଲିଆ)ର ସାଇମଣ୍ଡ ଷ୍ଟାଡିୟମଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ଏର ଏକ ମ୍ୟାଚରେ ୟୁଏଇକୁ ୭୯ ରନରେ ହରାଇଦେଇଛି ଶ୍ରୀଲଙ୍କା । ନିଜର ପ୍ରଥମ ମ୍ୟାଚରେ ନାମିବ୍ୟାଠାରୁ ୫୫ ରନରେ ହାରିଯାଇଥିବା ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ । ଆଜିର ମ୍ୟାଚରେ ୟୁଏଇ ଟସଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୨ ରନ କରିଥିଲା ।
ଦଳ ପକ୍ଷରୁ ପଥୁମ ନିଶଙ୍କା ୮୮ ରନ କରିଥିବାବେଳେ ଧନଞ୍ଜୟ ଡି’ସିଲଭା ୩୩ ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ୟୁଏଇ ପକ୍ଷରୁ କାର୍ତ୍ତିକ ମୟାପ୍ପନ ୩ଟି ଓ ଜହୁର ଖାଁ ୨ଟି ଓ୍ବିକେଟ ନେଇଥିଲେ । ମୟାପ୍ପନ ଚଳିତ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ନେଇଥିଲେ । ୧୫୩ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ୟୁଏଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ଦଳ ୧୭.୧ ତମ ଓଭରରେ ମାତ୍ର ୭୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳପକ୍ଷରୁ ଅୟାର ଅଫଜଲ ଖାଁ ସର୍ବାଧିକ ୧୯ ରନ କରିଥିଲେ ।