୨୦୨୪ ନିର୍ବାଚନ ଲାଗି ବିଜେପିର ମାନସ ମନ୍ଥନ

୩୫୦ ସିଟ ଜିତିବା ଲାଗି ଶାହଙ୍କ ଚେତାବନୀ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଦିଆଯାଇଥିବା ଗ୍ରାଉଣ୍ଡ ଲେଭଲ କାମ ଶେଷ କରିବାରେ ବିଫଳ ହେଲେ ବିଜେପି ମନ୍ତ୍ରୀଙ୍କ ଉପରେ ଦଳ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ମଙ୍ଗଳବାର ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ମାନସ ମନ୍ଥନ ବୈଠକରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଦଳର ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ବାବଦରେ ମନ୍ତ୍ରୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ଦଳ ପକ୍ଷରୁ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ନିର୍ବାଚନମଣ୍ଡଳୀ ଗୁଡିକୁ ବର୍ତ୍ତମାନ ସୁଦ୍ଧା ପରିଦର୍ଶନ କରିନାହାଁନ୍ତି କି ପରିସ୍ଥିତିର ଅନୁଧ୍ୟାନ କରିନାହାଁନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ କି ସଂଗଠନ ଯୋଗୁ ଆମେ ଏଠାରେ ଅଛୁ। ସଂଗଠନ ଯୋଗୁ ସରକାର ଗଠନ ହୋଇଛି। ତେଣୁ ସଂଗଠନକୁ ପ୍ରାଥମିକତା ଦିଆଯିବା ଦରକାର ବୋଲି ଶ୍ରୀ ଶାହ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ। ମୋଦିଙ୍କ ନାମରେ ଯେ କୌଣସି ବ୍ୟକ୍ତି ନିର୍ବାଚନ ଜିତି ଯାଇପାରିବେ। କିନ୍ତୁ ତୃଣମୂଳସ୍ତରେ କୌଣସି ସଂଗଠନ ନଥିଲେ ଏହାର କୌଣସି ଫାଇଦା ଦଳକୁ ମିଳିବ ନାହିଁ ବୋଲି ଶ୍ରୀ ଶାହ କହିଛନ୍ତି। ୨୦୨୪ରେ ବିଜେପି ୩୫୦ ଲୋକସଭା ଆସନ ଜିତିବା ଲାଗି ଲକ୍ଷ୍ୟ ରଖିଛି। ଏଥିପାଇଁ ନିର୍ବାଚନର ୨୦ ମାସ ପୂର୍ବରୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଦଳ ପକ୍ଷରୁ ୧୪୪ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଆଯାଇଛି। ଯେଉଁଠାରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ଦଳ ପରାସ୍ତ ହୋଇଥିଲା। ଏଥିପାଇଁ ଦଳ ଏହି ଏ ସମସ୍ତ ସିଟ ଉପରେ ଫୋକସ କରୁଛି। ୨୦୧୯ ତୁଳନାରେ ୨୦୨୪ରେ ଅଧିକ ସିଟ ଜିତିବା ଲାଗି ଦଳର ନେତାମାନଙ୍କୁ ଶ୍ରୀ ଶାହ କହିଛନ୍ତି। ଗତ ନିର୍ବାଚନରେ ବିଜେପି ଏକାକୀ ୫୪୩ରୁ ୩୦୩ ଆସନ ଜିତିଥିଲା।

ତେବେ ତିନି ଦଶନ୍ଧି ପରେ ପ୍ରଥମ ଥର ଏକ ଜାତୀୟ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ସମ୍ପୃୃକ୍ତ ନିର୍ବାଚନରେ ଶହେଟି ଆସନ ବିରୋଧୀ ଦଳ ଖାତାକୁ ଯାଇଥିଲା। ଏଥିରେ କଂଗ୍ରେସ ଏକାକୀ ୫୩ଟି ଆସନ ପାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ଲୋକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳର ନେତାଙ୍କୁ କୁହାଯାଇଥିଲା। ତେଣୁ ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଜିତିବା ସହଜ ହେବ ବୋଲି ଶ୍ରୀ ଶାହ କହିଛନ୍ତି।