ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ

ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହରେ ଉତ୍କଳ ସାମ୍ବାଦିକ ସଂଘ, ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ସଂଘର ସଭାପତି ଦ୍ବୀଜେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାହାୟ ମୀନା ଓ ରା.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଗତିବାଦୀ ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ସଂଘର ବରିଷ୍ଠ କର୍ମକର୍ତ୍ତା ଓ ଉପଦେଷ୍ଟାମଣ୍ଡଳୀ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ପରେ ପରେ ଭକ୍ତି ସଙ୍ଗୀତ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ‘ନାଗରିକ ସାମ୍ବାଦିକତାର ବୃଦ୍ଧି ଓ ତାହାର ପ୍ରଭାବ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ରା.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଶୈଳୀ, ଦକ୍ଷତା ଓ ଜନସେବା ପ୍ରତି ନିଷ୍ଠା ପାଇଁ ଚଳିତ ବର୍ଷର ‘ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯାଇଥିଲା।