ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ପ୍ରଥମ ଦିନରେ ବିଭାଗୀୟ ଷ୍ଟାଡିଂ କମିଟିର ରିପୋର୍ଟ ଉପସ୍ଥାପନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ବଜେଟ୍ ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଜିର ପ୍ରଥମ ଦିନରେ ବିଭାଗୀୟ ଷ୍ଟାଡିଂ କମିଟି ଗୁଡିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ । ଜୁଲାଇ ୧୪ ରୁ ୨୮ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ ।

କୌଣସି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନପାରିଲେ ୨୯ ତାରିଖରେ ତାହା ଗିଲୋଟିନ ଜରିଆରେ ପାରିତ କରାଯିବ ।୩୦ ତାରିଖରେ ପାରିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ । ସକାଳ ୧୦ଟା ୩୦ରୁ ୧ ଘଣ୍ଟାର ପ୍ରଶ୍ନକାଳକୁ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷେ ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଥିବା ବେଳେ ମୁକାବିଲା ପାଇଁ ସରକାରୀ ଦଳ ମଧ୍ୟ ପୁରାପୁରି ପ୍ରସ୍ତୁତ ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଇନଶୃଙ୍ଖଳା, ଚାଷୀ, ବେକାରୀ, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇବେ ବିରୋଧୀ ଦଳ।ଅନ୍ୟପକ୍ଷେ ଶାସକ ଦଳ କହିଛି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ସେହିଭଳି ଶାନ୍ତି ଶୃଙ୍ଖଳାର ସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ ଭାବେ ପରିଚାଳନା କରିବା ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ଯାହାଫଳରେ ଗୃହକାର୍ଯ୍ୟ ସଠିକ ଭାବେ ସମାପନ ହୋଇପାରିନଥିଲା ।