ଭୁବନେଶ୍ୱର : ଏବେବି ସସପେନ୍ସରେ ରୁଚିକାଙ୍କ ସୁଇସାଇଡ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ଆଜି ନବମ ଦିନରେ ପହଁଚିଛି । ତଥାପି ପୋଲିସ ହାତରେ ୩ଜଣ ସିନିୟର ଧରାପଡ଼ିନାହାଁନ୍ତି । ସେପଟେ କଲେଜରେ ଛାନବିନ୍ ଚଳାଇଛି ପୋଲିସ । କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରୁଛି । ମନସ୍ତତ୍ତ୍ୱବିତଙ୍କୁ ନେଇ ହଷ୍ଟେଲକୁ ଯାଇଛି ପୋଲିସ । ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ମନସ୍ତତ୍ତ୍ୱବିତ ପ୍ରାପ୍ତୀ ପ୍ରଧାନଙ୍କୁ ନେଇ ହଷ୍ଟେଲ ଯାଇଛି ଟିମ୍ । ସେଠାରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଉଛି ।
ଏହାଛଡ଼ା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ମାନସିକ ସ୍ଥିତି ନେଇ ମଧ୍ୟ ପଚରାଉଚରା କରାଯିବ । ସେମାନେ ଦେଇଥିବା ବୟାନ ଚାପରେ କିମ୍ବା ଭୟରେ ଦେଇଛନ୍ତି କି ନାହିଁ ତାହାର ମଧ୍ୟ ନିରୀକ୍ଷଣ କରିବ ଟିମ୍ । ଏହା ପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜେରା କରାଯିବ । ପୋଲିସ ଚାପରେ ବୟାନ ଦେଇଛନ୍ତି କି ନାହିଁ ମନୋସ୍ତତ୍ୱବିତ୍ ପ୍ରାପ୍ତି ପ୍ରଧାନ ପଚାରି ବୁଝିବେ । ଅନ୍ୟପଟେ ନ୍ୟାୟ ଦାବିରେ ରୁଚିକାଙ୍କ ମାଆ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିବା ପର୍ୟ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ।