ଭୁବନେଶ୍ୱର : ଆଜି ହେଉଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ସ୍ବତନ୍ତ୍ର ‘ମୋ ବସ୍’ ଚାଲିବ। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ। ଭୁବନେଶ୍ବରରୁ ପୁରୀ ତାଳବଣିଆ ପର୍ଯ୍ୟନ୍ତ ଏସି ବସ୍ରେ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ନନ୍ ଏସି ବସ୍ ଟିକେଟ୍ ମୂଲ୍ୟ ୮୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ମାଳତୀପାଟପୁରରୁ ତାଳବଣିଆ ଚାଲିବାକୁ ଥିବା ବସ୍ର ଟିକେଟ୍ ମୂଲ୍ୟ ୨୦ ଟଙ୍କା ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। ସକାଳ ୫ଟା ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ରଥମ ବସ୍ ଛାଡ଼ିବାକୁ ଥିବା ବେଳେ ପ୍ରତି ଅଧଘଣ୍ଟାରେ ରାତି ୧୦ଟା ୪୦ ପର୍ଯ୍ୟନ୍ତ ବସ୍ ଚାଲିବ। ସେହିଭଳି ତାଳବଣିଆରୁ ପ୍ରଥମ ବସ୍ ୫ଟା ୪୦ ମିନିଟ୍ରେ ଛାଡ଼ିବ। ପ୍ରତି ଅଧଘଣ୍ଟାରେ ରାତି ୧୧ଟା ୨୫ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ବସ୍ ଉପଲବ୍ଧ ହେବ। ବରମୁଣ୍ଡାରୁ ପ୍ରଥମ ବସ୍ ୫ଟା ୧୫ରେ ଛାଡ଼ିବ। ରାତି ୧୧ଟା ୪୦ ପର୍ଯ୍ୟନ୍ତ ବସ୍ ଉପଲବ୍ଧ ରହିବ। ମାଳତୀପାଟପୁରରୁ ସକାଳ ୭ଟାରୁ ବସ୍ ଉପଲବ୍ଧ ହେବ ବୋଲି କ୍ରୁଟ୍ କହିଛି।
ସେହିପରି ରଥଯାତ୍ରା ସମୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ଲାଗି ରେଳ ମନ୍ତ୍ରଣାଳୟ ଘୋଷଣା କରିଥିଲା। ସେହି ଅନୁଯାୟୀ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଓ ସୁନା ବେଶ ଦିନ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ସୁନାବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ସହ ଆଉ ୨୦ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଏବେ ସ୍ଥିର ହୋଇଛି।