ରାଇରଙ୍ଗପୁର: ( ସତ୍ୟନାରାୟଣ ପାଲ୍) :- ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା ଏକ ଟ୍ବିଟେରରେ ଲିଖିତ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଲେଖିଥିଲେ ଯେ ‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତାହାହେଲେ ପାଣ୍ଡବ କିଏ ଏବଂ ବିଶେଷତଃ କୌରବ କେଉଁମାନେ’ । ଯାହାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଛି । ଏକ ପବ୍ଲିକ ପ୍ଲାଟଫର୍ମରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା,ଜଣେ ଓଡ଼ିଆ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମନ୍ତ୍ରୀ,ଓଡ଼ିଶା ବିଧାନସଭାର ପ୍ରାକ୍ତନ ଶ୍ରେଷ୍ଠ ବିଧାୟିକା, ଯିଏକି ଦେଶର ସର୍ବୋଚ୍ଚ ଆସନ ଅଳଂକୃତ କରିବାକୁ ଯାଉଛନ୍ତି । ସେହି ମହାନ ମହିୟସୀ ନାରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଜଣେ ଖ୍ୟାତନାମା ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କ ପାଇଁ କେତେଦୂର ଯଥାର୍ଥ ଅଟେ ! ଏହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷର ବହ୍ନି ଜଳୁଛି । ରାଇରଙ୍ଗପୁର ବିଜେପି ତରଫରୁ ରାମ ଗୋପାଲ ବର୍ମାଙ୍କ ନାମରେ ରାଇରଙ୍ଗପୁର ଟାଉନ ଥାନାରେ ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଛି ଯେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଲିଖିତ ଦାବିପତ୍ର ପ୍ରଦାନ ସମୟରେ ମନୋରଂଜନ ମହାନ୍ତି, ଈଶାନ ମିଶ୍ର,ମନୋଜ ଦାସ(ବାପି),ଶିବୁ ଅଗ୍ରୱାଲ,ଆଲୋକ ରଂଜନ ମହାନ୍ତ,ମିଥିଲା ଟୁଡୁ, ଶଶାଙ୍କ,ଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।