ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମାଙ୍କନ

ଭୁବନେଶ୍ୱର: ଆଜି ଓଡ଼ିଶା ପାଇଁ ଗର୍ବର ଦିନ । କାରଣ ଓଡ଼ିଶାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଶ୍ରୀମତି ମୁର୍ମୁଙ୍କ ବିଜୟ ପ୍ରାୟତଃ ନିଶ୍ଚିତ ଓ ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଦିଲ୍ଲୀର ରାଇସିନା ହିଲ୍ସ୍ଥିତ ରାଷ୍ଟ୍ରପତି ଭବନରେ ଶପଥ ନେବା ଦେଖିବାକୁ ଆମେ ସମସ୍ତେ ପାଇବା । ଶ୍ରୀମତି ମୁର୍ମୁଙ୍କ ନିର୍ବାଚନ ପାଇଁ ଯାହା କିଛି ଦ୍ୱନ୍ଦ୍ୱ ରହିଥିଲା, ସେଗୁଡିକ ଏବେ ଦୂର ହୋଇଯାଇଛି । ଓଡିଶାର ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟି ସମର୍ଥନ ପରେ ଏହି ଦୁଇ ଦଳର ପ୍ରାୟ ୪ପ୍ରତିଶତ ଭୋଟ ଯୋଗୁଁ ଏନଡିଏ ପାଖାପାଖି ୫୬ ପ୍ରତିଶତ ଭୋଟ ପାଇବା ପ୍ରାୟ ସୁନିଶ୍ଚିତ । ବିଜୁ ଜନତା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବା ସମୟରେ ରାଜ୍ୟର ଦୁଇ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକାଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହି ସମର୍ଥନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦେଶର ୧୬ତମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଭାରତୀୟ ଜନତା ଦଳ (ବିଜେପି) ନେତୃତ୍ୱାଧିନ ଏନଡିଏ ପକ୍ଷରୁ ଓଡ଼ିଶାର ଜଣେ ଆଦିବାସୀ ମହିଳା ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ମଧ୍ୟାହ୍ନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତି ମୁର୍ମୁ ସଂସଦ ଭବନରେ ସେକ୍ରେଟେରୀ ଜେନେରାଲଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା,ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଲଲନ ସିଂହ, ପଶୁପତି ପାରସ, ରେଣୁ ଦେବୀ, ତାରକେଶ୍ୱର ପ୍ରସାଦଙ୍କ ସମେତ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ. ବହୁ କେନ୍ଦ୍ରମନ୍ତ୍ରୀ ଏବଂ ସହଯୋଗୀ ଦଳର ବହୁ ନେତାମାନେ ଉପସ୍ଥିତ ଥିଲେ । ତେବେ ଶ୍ରୀମତି ମୁର୍ମୁଙ୍କ ପ୍ରାର୍ଥୀପତ୍ରରେ ସମର୍ଥନ ଦେବାକୁ ଓଡ଼ିଶାର ୨ଜଣ ଏବଂ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସଆର କଂଗ୍ରେସର ୨ଜଣ ସାଂସଦ ସମର୍ଥନ ଦେଇଛନ୍ତି । ଏପରିକି ବିଜେପି ସହ ମେଣ୍ଟ କରିଥିବା ଜନତା ଦଳ (ୟୁନାଇଟେଡ)ର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି । ତେବେ ଏନଡିଏ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ପରେ ମିଳିତ ବିରୋଧୀ ଦଳରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି । ଜଣେ ଆଦିବାସୀ ମହିଳା ପ୍ରାର୍ଥୀ ହୋଇଥିବାରୁ ବହୁ ଆଦିବାସୀ ବହୁତ ରାଜ୍ୟ ଭାବେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ ସରକାର ଏବେ ଅଡୁଆରେ ପଡିଛି ।

ଶୁକ୍ରବାର ସକାଳେ ଓଡ଼ିଶ ଭବନରୁ ଶ୍ରୀମତୀ ମୁର୍ମୁ କଡ଼ା ସୁରକ୍ଷା ମଧ୍ୟରେ ସଂସଦ ଭବନରେ ପହଞ୍ଚିଥିଲେ । ସଂସଦ ଭବନ ପରିସରରେ ବିଭିନ୍ନ ଦଳର ନେତା ମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟମାନଙ୍କ ସହିତ ସଂସଦ ଭବନ ହଲରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଓଡ଼ିଶାର ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସର ସମର୍ଥନ ମିଳିବା ପରେ ଶ୍ରୀମତି ମୁର୍ମୁଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇଛି । ଯଦି ସେ ବିଜୟୀ ହୁଅନ୍ତି, ତେବେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ସେହିପରି ପ୍ରଥମ ଓଡ଼ିଆ ଭାବେ ଶ୍ରୀମତି ମୁର୍ମୁ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାରେ ରେକର୍ଡ କରିବେ । ଏହି ଅବସରରେ ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀ, ଡ.ବି.ଆର.ଆମ୍ବେଦକ, ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ଅନ୍ୟପକ୍ଷେ, ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଆସନ୍ତା ୨୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଶ୍ରୀ ସିହ୍ନାଙ୍କୁ ଟିଏମସି, କଂଗ୍ରେସ, ଏନସିପି, ଆରଜେଡି ପରି ବିଜେପି ବିରୋଧୀ ଦଳଗୁଡିକ ସମର୍ଥନ କରୁଛନ୍ତି । ତେବେ ଏନଡିଏ ଏବଂ ମିଳିତ ବିରୋଧୀ ଦଳର ଭୋଟିଂ ସଂଖ୍ୟା ପ୍ରାୟତଃ ସମାନ ରହିଥିଲେ ବି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶବନ୍ତ ସିହ୍ନାଙ୍କ ଅପେକ୍ଷା ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଲୋକପ୍ରିୟତା ଅଧିକ ଥିବାରୁ ଶ୍ରୀମତି ମୁର୍ମୁଙ୍କ ବିଜୟ ଏକପ୍ରକାର ଅବଶ୍ୟମ୍ଭାବୀ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।