ଜନଜାତିଙ୍କ ବିକାଶ ଲାଗି ସରକାରଙ୍କ ନିରନ୍ତର ପ୍ରୟାସ

ମୁଖ୍ୟସ୍ରୋତରେ ସାମିଲ ହେବାକୁ ବିବଶ ମାଓବାଦୀ

ଭୁବନେଶ୍ୱର: ଆଦିବାସୀ ତଥା ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର-ରାଜ୍ୟ ସରକାର ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି। ସେମାନଙ୍କ ଲାଗି ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରଣୟନ କରୁଛନ୍ତି। ତେବେ ମୁଖ୍ୟ ସ୍ରୋତରୁ ଦୂରେଇ ଯାଇ ହିସାଂତ୍ମକ ପଥ ଆପଣେଇଥିବା ଆଦିବାସୀମାନେ ପୁଣି ଥରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହେବା ଲାଗି ବ୍ୟାକୁଳତା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଅଧିକାର ନାମରେ ନିରୀହ ଆଦିବାସୀଙ୍କୁ ମତାଇଥିବା ମାଓନେତାଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପଡିଛି। ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ହିଂସାତ୍ମକ ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଫଳରେ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ସରକାରୀ ପ୍ରୋତ୍ସାହନ ଦିଆଯାଉଛି। ଏଥି ସହିତ ମାଓ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ଗଣତାନ୍ତ୍ରିକ ସରକାର ବିରୁଦ୍ଧରେ ବନ୍ଧୁକ ଧରିଥିବା ମାଓବାଦୀମାନେ ଅସ୍ତ୍ର ତ୍ୟାଗ ଲାଗି ବିବଶ ହୋଇପଡିଛନ୍ତି। କୁଚକ୍ରୀଙ୍କ କଥାରେ ନ ପଡି ବନ୍ଧୁକ ଛାଡିବା ପାଇଁ ଆଦିବାସୀଙ୍କୁ ସାଧାରଣରେ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାରେ ଜନଜାତିଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ମହିଳା ଦ୍ରୌପଦୀ ମର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାବେଳେ ପୂର୍ବରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ସିଏଜି ପଦବୀରେ ଅବସ୍ଥାପିତ କରାଯାଇଛି। ଯାହା ଫଳରେ ମୁଖ୍ୟସ୍ରୋତରୁ ଦୂରେଇ ଯାଇଥିବା ଆଦିବାସୀଙ୍କ ଲାଗି ସରକାରଙ୍କ ବିକାଶ ଉପରେ ଆସ୍ଥା ପ୍ରକଟ କରିବ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ କଲ୍ୟାଣ ଓ ସମ୍ମାନ ଲାଗି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ପଛୁଆ ବର୍ଗର ଅଧିବାସୀଙ୍କ ବିକାଶ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ଯାହାର ସଫଳତା ତୃଣମୂଳସ୍ତରରେ ଅନୁଭୂତ ହେଉଛି। ନିକଟରେ ମାଲକାନାଗିରି ଚିତ୍ରକୋଣ୍ଡାର ୨୯୫ ଜଣ ମାଓବାଦୀ ଜିଲ୍ଲା ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ମୁଖ୍ୟସ୍ରୋତରେ ସାମିଲ ହେଉଥିବା ମାଓବାଦୀଙ୍କ ଲାଗି ବଡ ଉପଲବ୍ଧି ହେଉଛି ଗୁରୁପ୍ରିୟା ସେତୁ। ସମ୍ପର୍କର ସେତୁ ଗୁରୁପ୍ରିୟା ବିଚ୍ଛିନ୍ନାଞ୍ଚଳ ଲାଗି ଆଶାର କିରଣ ପାଲଟିଛି। ସମ୍ପୃକ୍ତ ଅଞ୍ଚଳରେ ଅର୍ଥନୈତିକ କରିଡର ନିର୍ମାଣ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ ସଂପ୍ରତି ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଲଟିଛି । ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ କଥାରେ ନପଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହେବା ଲାଗି ସାଧାରଣରେ ମତ ପ୍ରକାଶ ପାଇଛି ।