ଭୁବନେଶ୍ୱର: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ସାଢେ ଗୋଟାଏରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରୁ ୨୦ ତାରିଖରେ ବିଦେଶ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ତାଙ୍କ ୧୩ ଦିନିଆ ଗସ୍ତ ସାରି ୩୦ ତାରିଖରେ ଭୁବନେଶ୍ୱର ଫେରିବାର କାର୍ୟ୍ୟକ୍ରମ ରହିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସଂପୂର୍ଣ୍ଣ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଦିଆଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ୨୦ ତାରିଖ ଅପରାହ୍ଣରେ ରୋମ୍ ଅଭିମୁଖେ ଯିବେ। ରୋମ୍ ସ୍ଥିତ ଜାତିସଂଘ ଖାଦ୍ୟ କାର୍ୟ୍ୟକ୍ରମରେ ଓଡ଼ିଶାର ସଫଳତା କାହାଣୀ ସଂପର୍କରେ ଏକ କାର୍ୟ୍ୟକ୍ରମରେ ସାମିଲ ହେବେ। ୨୬ ତାରିଖ ଯାଏଁ ସେ ରୋମରେ ରହିବାର କାର୍ୟ୍ୟକ୍ରମ ଚୂଡାନ୍ତ ହୋଇଥିବା ଜଣାପଡ଼ିଛି। ୨୬ ତାରିଖ ଅପରାହ୍ଣ ସାଢେ ୩ଟାରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୁଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ କୌଣସି ମନ୍ତ୍ରୀ ସାମିଲ ହେବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।