ଏତଲା ପରେ ରିପୋର୍ଟ ମାଗିଲା ସାଇବର ଥାନା: ବର୍ଷା-ଅନୁଭବ କଳିରେ ବଢ଼ିବ କି ଫ୍ୟାନ୍ସଙ୍କ ଅଡୁଆ !

ଭୁବନେଶ୍ୱର: ବଢ଼ିଲା ସାଂସଦ ଅନୁଭବ ମହାନ୍ତିଙ୍କ ଫ୍ୟାନ୍ସଙ୍କ ଅଡୁଆ । ବର୍ଷା-ଅନୁଭବ କଳିରେ ଏବେ ସମସ୍ୟା ଭିତରକୁ ଛନ୍ଦି ହୋଇଯାଇଛନ୍ତି ଫ୍ୟାନ୍ସ । ବର୍ଷାଙ୍କ ଅଭିଯୋଗ ଆଧାରରେ ଫେସବୁକର ରିପୋର୍ଟ ମାଗିଲା କଟକ ସାଇବର ଥାନା ପୋଲିସ । କିଛି ଦିନ ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ସେଥିରେ ‘ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା’ ନାମକ ଏକ ଫେସବୁକ୍ ପେଜରେ ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ ।

ଏହି ମାମଲାରେ ଫେସବୁକକୁ ସାଇବର ଥାନା ପକ୍ଷରୁ ଇ-ମେଲ କରି ଘଟଣାର ତଥ୍ୟ ମଗାଯାଇଛି । ଅନୁଭବ ମହାନ୍ତି ରିଅଲ ହିରୋ ଅଫ୍ କେନ୍ଦ୍ରାପଡା ପେଜ୍ କିଏ ପରିଚାଳନା କରୁଛି। କାହା ଇ-ମେଲ ଆଇଡି କିମ୍ବା କାହା ମୋବାଇଲ ନମ୍ବର ବ୍ୟବହାର କରାଯାଇ ପେଜ୍ ଖୋଲଯାଇଛି । କେଉଁ ଆଇପି ବା ଇଂଟରନେଟ ପ୍ରୋଟୋକଲରେ ଏହା ପରିଚାଳିତ ହେଉଛି ତାହାର ରିପୋର୍ଟ ମାଗିଛି କଟକ ସାଇବର ଥାନା । ଏହି ଫେସବୁକ ପେଜରେ ବର୍ଷାଙ୍କ ବିରୋଧରେ ବିଭ୍ରାନ୍ତିିକର ଓ ସମ୍ମାନହାନି ମୂଳକ ପୋଷ୍ଟ ଅପଲୋଡ କରାଯାଇଥିଲା । ଏନେଇ ବର୍ଷା ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଉଦେଶ୍ୟମୂଳକ ଭାବେ ଅନୁଭବଙ୍କ କିଛି ସମର୍ଥକ ତାଙ୍କ ସମ୍ମାନହାନି କରିବାକୁ ଉଦ୍ୟମ କରୁଥିବା ବର୍ଷା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଆଇପିସିର ୫୦୯ ଏବଂ ଆଇଟି ଆକ୍ଟରେ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ଏବଂ ପୋଲିସ ଏହି ଘଟଣାକୁ ନେଇ କଡ଼ା ଯାଞ୍ଚ ଚଳାଇଛି ।