ଭୁବନେଶ୍ୱର: ରାଜଧାନୀରେ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ବିଦେଶୀ ଲିଙ୍କ୍ । ୬ଟି ଦେଶରୁ ଭୁବନେଶ୍ୱର ଆସୁଥିଲା କୋକେନ୍ । ଚାଇନା, ଫ୍ରାନ୍ସ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକା ଭଳି ଦେଶରୁ ଭୁବନେଶ୍ୱର ଆସୁଥିଲା ଏହି ମହଙ୍ଗା ନିଶା। ଘଟଣାରେ ଏସଟିଏଫ ଦ୍ୱାରା ଗିରଫ ରବିର ମୋବାଇଲ କୋକେନ୍ ମାଫିଆଙ୍କ ସିକ୍ରେଟ୍ ଖୋଲି ଦେଇଛି । ଅଭିଯୁକ୍ତ ରବିର ମୋବାଇଲରୁ ନିଶା କାରବାରରେ ପଛରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ମାମଲାରେ ଦୁଇ ଅଭିଯୁକ୍ତ ରବି ଓ ସନ୍ନିକୁ ଜେରା କରି ତାଙ୍କ ନିକଟରୁ ସତ ଓଗାଳିଛି ଏନସିବି ।

ଦୁଇ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ଏସଟିଏଫ୍ । ପ୍ରଥମଥର ପାଇଁ ରାଜଧାନୀକୁ ପ୍ରବେଶ କରିଥିଲା କୋକେନ୍। ୨୦୨୩ ହକି ବିଶ୍ବକପକୁ ଟାର୍ଗେଟରେ ରଖି ଭୁବନେଶ୍ବରକୁ କୋକେନ ଆଣିଥିଲେ ଏହି ଦୁଇ ଅଭିଯୁକ୍ତ । ୨୦୨୩ ହକି ବିଶ୍ୱକପେ ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଟାର୍ଗେଟ କରି ରାଜଧାନୀରେ କୋକେନ କାୟା ବିସ୍ତାର କରିଥିଲେ ଏହି ଦୁଇ ଅଭିଯୁକ୍ତ । କୋକେନର କ୍ଵାଲିଟି ଟେଷ୍ଟ ପାଇଁ ଏସଟିଏଫ୍ ନମୁନା ପଠାଇଛି । ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ଏହି ଅଭିଯୁକ୍ତଙ୍କ ମୂଳ ଲକ୍ଷ୍ୟ । କୋକେନ୍ ସିକ୍ରେଟ୍ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି ।