ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ମାମଲା ରୁଜୁ

କେବଳ ଆଲିଆ ନୁହନ୍ତି ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କୁ ନେଇ ମଧ୍ୟ ରୁଜୁ ହୋଇଛି ମାମଲା।

(ମୁମ୍ବାଇ) : ବଲିଉଡର ଡିମ୍ପଲ ଗାର୍ଲ ଆଲିଆ ଭଟ୍ଟଙ୍କୁ ନେଇ ଦିନକୁ ଦିନ ବଢ଼ିବାରେ ବିବାଦ। କାଠଗଡାରେ ଫଶିଲେ ଗଙ୍ଗୁବାଇ ଓରଫ ଆଲିଆ। କେବଳ ଆଲିଆ ନୁହନ୍ତି ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କୁ ନେଇ ମଧ୍ୟ ରୁଜୁ ହୋଇଛି ମାମଲା। ଅପ୍‌କମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଆରମ୍ଭ ହୋଇଛି ବିବାଦ।

ସୂଚନାନୁଯାୟୀ , ଗାଙ୍ଗୁବାଈଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଏହି ଚଳଚ୍ଚିତ୍ରର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି। ବାବୁ ରାଓଜୀ କହିଛନ୍ତି ଯେ ‘ମୋ ମା’ଙ୍କୁ ଜଣେ ଦେହଜୀବୀ ଭାବେ ଫିଲ୍ମରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶକ ଜଘନ୍ୟ ପ୍ରୟାସ କରିଛନ୍ତି ଏବଂ ଏହାକୁ ନେଇ ଆମ ପରିବାରର ସମସ୍ୟା ବଢ଼ିଯାଇଛି। ଏପରିକି ତାଙ୍କ ପରିବାର ସଦସ୍ୟଙ୍କୁ ମୁମ୍ବାଇରେ ବାରମ୍ବାର ଘର ବଦଳାଇବାକୁ ପଡ଼ୁଛି ଏବଂ ତୁହାକୁ ତୁହା ସଫେଇ ଦେବାକୁ ହେଉଛି ବୋଲି ସେ କହିଛନ୍ତି।’ ଯେତେବେଳେ ଗଙ୍ଗୁବାଈ ଉପରେ ବହି ଲେଖାଯାଇଥିଲେ, ସେତେବଳେ ମଧ୍ୟ ପରିବାର ଲୋକଙ୍କ ଠାରୁ ଅନୁମତି ନିଆଯାଇନଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।