ସାନଖେମୁଣ୍ଡି: ପୂର୍ବତନ ବିଧାୟକ ଉଦୟନାରାୟଣ ଦେବଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଉଦୟନାରାୟଣଙ୍କର ପରଲୋକ ହୋଇଛି । ଉଦୟନାରାୟଣଙ୍କ ବିୟୋଗ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଦୟନାରାୟଣ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ୧୯୭୪ରେ ଉତ୍କଳ କଂଗ୍ରେସ, ୧୯୭୭ରେ ସ୍ୱାଧୀନ , ୧୯୮୦ରେ ଜନତା ପାର୍ଟି ଦଳରୁ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଥିଲେ । ତାଙ୍କର ବନ୍ୟପ୍ରାଣୀ ସହିତ ପକ୍ଷୀମାନଙ୍କର ସଂକ୍ରାନ୍ତରେ ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ନିକଟରେ ତାଙ୍କର ଲିଖିତ ପୁସ୍ତକ ବିହଙ୍ଗ ସଂହତା ନାମରେ ରାଜ୍ୟପାଳଙ୍କ ଦ୍ବାରା ଲୋକାର୍ପିତ ହୋଇଛି । ସେପଟେ ପୂର୍ବତନ ବିଧାୟକ ଉଦୟନାରାୟଣଙ୍କ ପରଲୋକରେ ଶୋକ ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନାଜଣାଉଛି।