ଚଳିତ ମାସ ୧୦ ତାରିଖ ମଧ୍ୟରେ ଶୀତ ଆସିକ ସମ୍ଭାବନା କ୍ଷୀଣ

(ରିିପୋର୍ଟସ ଟୁଡ଼େ): ଡ଼ିସେମ୍ବର ମାସର ପ୍ରଥମ ସପ୍ତାହ ହେଲାଣି ହେଲେ ଶୀତର ଦେଖା ନାହିଁ । ୨୦୧୭ ଡିସେମ୍ବର ୧୦ ତାରିଖ ବେଳକୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହେଉଥିଲା। ଗାଁଠୁ ସହର, ଉପାନ୍ତରୁ ଉପକୂଳ ସବୁଠି ସମସ୍ତେ ଶୀତର ଲହରୀ ଉପଲବ୍ଧି କରିପାରୁଥିଲେ। ଏଥର କିନ୍ତୁ ଆରମ୍ଭରୁ ବିଲକ୍ଷଣ ଦେଖାଦେଲାଣି। ଆଜି ଦିନରେ ତାପମାତ୍ରା ଯେତିକି ରହିଛି, ତାହା କମିବାର କୌଣସି ସୂଚନା ନାହିଁ। ପାଣିପାଗ ବିଶେଷଜ୍ଞମାନ ପୂର୍ବାନୁମାନ କଲେଣି ଯେ ଆସନ୍ତା ୧୦ ତାରିଖ ମଧ୍ୟରେ ଶୀତ ଆସିବା ସମ୍ଭାବନା କ୍ଷୀଣ।
ପାଣିପାଗ ବିଶେଷଜ୍ଞ ଡ. ଶରତ କୁମାର ସାହୁଙ୍କର କହିବା କଥା, ଗତବର୍ଷ ନଭେମ୍ବର ଶେଷ ବେଳକୁ ଥଣ୍ଡା ଆସି ଯାଇଥିଲା। ଭୁବନେଶ୍ବରର ହାରାହାରି ତାପମାତ୍ରା ଆଜି ଦିନରେ ୧୬ ଡିଗ୍ରି ରହିବା କଥା। ଏବେ ତା ଠାରୁ ସାମାନ୍ୟ ଉପରେ ରହିଛି। ଆସନ୍ତା ୫ ତାରିଖ ବେଳକୁ ଏହା ଆହୁରି ବଢ଼ିବ ଓ ୧୮ ଡିଗ୍ରି ପର୍ୟ୍ୟନ୍ତ ଛୁଇଁପାରେ। ଉତ୍ତରା ପବନ ନାହିଁ, ଏଣୁ ଥଣ୍ଡା ପବନ ଓଡ଼ିଶା ପ୍ରବେଶ କରିପାରୁନାହିଁ। କୃଷି ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ମଙ୍ଗଳବାର ଠାରୁ ତିନି ଦିନ ପାଇଁ ତାପମାତ୍ରା ଏକରୁ ଦେଢ଼ ଡିଗ୍ରି ପର୍ୟ୍ୟନ୍ତ ବଢିବ। ଏଣୁ ଥଣ୍ଡା ଆହୁରି କମିବ। ଏହାର ପରବର୍ତୀ ଦୁଇଦିନ ମଧ୍ୟ ପାଗରେ କୌଣସି ପରିବର୍ତନ ସମ୍ଭାବନା ନାହିଁ। ବାୟୁର ଦିଗ ପରିବର୍ତନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଡ. ପଶୁପାଳକ କହିଛନ୍ତି।