ଗଞ୍ଜାମ(ହର ପ୍ରସାଦ ବିଶୋଇ): ‘ଜୱାଦ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ବୋଝ ଲଦିଦେଇଛି। ଧାନ ଓ ପନିପରିବା କ୍ଷତି ସହିନପାରି ପାତ୍ରପୁର ଅଂଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଲୁମା ଗାଁର ୫୫ ବର୍ଷୀୟ ଚାଷୀ କୈଳାସ ଶବର, କୀଟନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ପରିବାର। କୈଳାସ ଘରର ଜଣେମାତ୍ର ରୋଜଗାରିଆ ବ୍ୟକ୍ତି ଓ ମୁରବୀ ଥିଲେ। ଟି. ନାମେଶ୍ୱର ପାତ୍ରଙ୍କର ପ୍ରାୟ ୨ ଏକର ଜମିରେ ସେ ଧାନ ଓ ପାଖାପାଖି ୧ ଏକର ଜମିରେ କାଙ୍କଡ, ଟମାଟୋ ଓ ବାଇଗଣ ଭଳି ପରିବା ଚାଷ କରିଥିଲେ। ଋଣ କରି ଏସବୁ ଚାଷବାସ କରିଥିବାବେଳେ ଫସଲ କ୍ଷତି ଯୋଗୁଁ କେମିତି ଋଣ ଶୁଝିବେ, ସେହି ଚିନ୍ତାରେ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ। ହେଲେ ବାତ୍ୟାର ପ୍ରଭାବରେ ଶୁକ୍ରବାର ଓ ଗତକାଲି ଲଗାଣ ବର୍ଷା ହେତୁ ଫସଲ ନଷ୍ଟ ହୋଇଯିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ଚାଷଜମି ସଂପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ପାଲଟିଥିବାରୁ ଆହୁରି ବଢ଼ିଯାଇଥିଲା ଚିନ୍ତା। ଫଳରେ ପରିବାର ପ୍ରତିପୋଷଣ ଚିନ୍ତା କୈଳାସଙ୍କୁ ଘାରିଥିଲା । ରବିବାର ସକାଳେ ତୁରୁବୁଡ଼ି ବଜାରକୁ ଯାଇ ପରିବା ବିକି ଘରକୁ ଫେରିଥିବା ବେଳେ ମଧ୍ୟାହ୍ନରେ କାଙ୍କଡ଼ ଗଛରେ ପକାଇବାକୁ ବ୍ୟବହାର କରାଯାଉଥିବା କୀଟନାଶକ ଔଷଧ ପିଇଦେଇଥିଲେ । ପରିବାର ଲୋକେ କୈଳାସଙ୍କୁ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ପତ୍ନୀ ପଦ୍ମା କହିଛନ୍ତି । ଘଟଣାସ୍ଥଳରେ ଜରଡ଼ା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା। ତହସଲିଦାର ଅମିତ କୁମାର ନାୟକ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ। ଏହାସହ ରେଡକ୍ରସ୍ ପାଣ୍ଠିରୁ ୧୦ହଜର ଟଙ୍କା ସହାୟତା ପ୍ରଦାନ କରିଥିଲେ ।