ଯାଯପୁର: ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ମିଳିଛି ଆକ୍ରମଣର ଧମକ । ନନ୍ଦ ସାରଙ୍କ ପୁଅଙ୍କୁ ପଡୋଶୀ ମରଣାତ୍ମକ ଆକ୍ରମଣ କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।ଏ ନେଇ ଥାନାରେ ଏତଲା ମଧ୍ୟ ହୋଇଛି । ସୁକିନ୍ଦା ଥାନା କନ୍ତିରା ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ନନ୍ଦ ସାରଙ୍କୁ ଧମକ ଦେବା ସହ ଆକ୍ରମଣ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଯାଯପୁର ଜିଲ୍ଲାର କନ୍ତିରା ଗାଁରେ ରହୁହଥିବା ୧୦୪ବର୍ଷିୟ ନନ୍ଦ ପୃଷ୍ଟି ଦୀର୍ଘ ୮୨ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରୁଥିବା ଚାଟଶାଳୀ ଶିକ୍ଷକ ଭାବେ ସୁପ୍ରସିଦ୍ଧ ।ଏହାକୁ ନେଇ ସେ ସମଗ୍ର ଦେଶରେ ତାଙ୍କର ଚର୍ଚ୍ଚା ଚାଲିଛି ।ତାଙ୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ନାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ବିଚାର କରି ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ କରିଥିଲେ । ରାଷ୍ଟ୍ରପତି ଭବନରେ ଯେତେବେଳେ ତାଙ୍କୁ ସମ୍ମାନିତ କରିବା ପାଇଁ ନାଁ ଘୋଷଣା କରାଯାଇଥିଲା, ସମଗ୍ର କନ୍ତିରା ଗାଁ ବାସୀ ଓ ପରିବାର ଲୋକମାନେ ଟିଭିକୁ ଚାତକ ପରି ଚାହିଁ ରହିଥିଲେ । ପଦ୍ମଶ୍ରୀ ନନ୍ଦ ପୃଷ୍ଟି ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ଫେରିବା ପରେ ସମଗ୍ର ଅଞ୍ଚଳବାସୀ ତାଙ୍କୁ ଖୁସୀରେ ସ୍ୱାଗତ ମଧ୍ୟ କରିଥିଲେ । ତେବେ ବର୍ତମାନ ଏପରି ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି