ଐତିହାସିକ ବାଲିଯାତ୍ରା- ନୂଆ ଓ ପୁରୁଣା ବ୍ୟବସାୟୀଙ୍କ ମଧ୍ୟରେ ଛିଡ଼ୁନି ପ୍ଲଟ ଆବଣ୍ଟନ ଦର

(ରିପୋର୍ଟସ ଟୁଡ଼େ): ବାଲିଯାତ୍ରାରେ ବର୍ଷ ବର୍ଷ ଧରି ବେପାର କରି ଆସୁଥିବା ପୁରୁଣା ବ୍ୟବସାୟୀଙ୍କ ପାଇଁ ଶେଷରେ ଦର ଚୂଡାନ୍ତ ହୋଇଛି। କିନ୍ତୁ ନୂଆ ବ୍ୟବସାୟୀଙ୍କ ପାଇଁ ଦର ଧାର୍ୟ୍ୟ ହେଇପାରି ନାହିଁ। ଏଭଳି ପରିସ୍ଥିତିରେ କିନ୍ତୁ ଆଜି ବାଲିଯାତ୍ରା ବ୍ୟବସାୟୀ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛି।
ଘୋଷଣା ଅନୁଯାୟୀ, ପୁରୁଣା ବ୍ୟବସାୟୀଙ୍କ ପାଇଁ ଦଶ ଦିନର ବାଲିଯାତ୍ରା ନିମନ୍ତେ ବର୍ଗଫୁଟ୍ ପିଛା ୩୩ ଟଙ୍କା ମୂଲ୍ୟ ରଖାଯାଇଥିବା ବେଳେ ନୂଆ ବ୍ୟବସାୟୀଙ୍କ ପାଇଁ ଧାର୍ୟ୍ୟ ଦର ସାର୍ବଜନୀନ କରାଯାଇନାହିଁ। ଆସନ୍ତା ଦିନେ ଦୁଇ ଦିନ ଭିତରେ ଦର ଘୋଷଣା କରାଯିବ ବୋଲି ତହସିଲଦାର ସଂଜୟ ପ୍ରତିହାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତହସିଲଦାରଙ୍କ ଏ ପ୍ରକାର ଘୋଷଣା ସହିତ ଗଲା ଚାରି ଦିନ ହେବ ବାଲିଯାତ୍ରା ପ୍ଲଟ୍ ଫି’ ବୃଦ୍ଧିକୁ ନେଇ ଗଡ଼ଗଡ଼େଶ୍ବର ମନ୍ଦିର ପ୍ରାଙ୍ଗଣରେ ବାଲିଯାତ୍ରା ବ୍ୟବସାୟୀ ସଂଘ ଚଳାଇଥିବା ଆନ୍ଦୋଳନର ଆଜି ଅବସାନ ଘଟିଛି। ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଆଲୋଚନା କରି ଫି’ ବିବାଦ ତୁଟାଇବା ପରେ ସଂଘ ଆନ୍ଦୋଳନରୁ ଓହରି ଯାଇଥିବା ସଭାପତି ଦେବୀପ୍ରସାଦ ଦାଶ ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲିଠୁ ପ୍ଲଟ୍ ବୁକିଂ ଆରମ୍ଭ ହେବ ଏବଂ ୧୫ ତାରିଖ ଯାଏଁ ପୁରୁଣା ବ୍ୟବସାୟୀଙ୍କୁ ପ୍ଲଟ୍ ଆବଣ୍ଟନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।