ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ

(ଦିଲ୍ଲୀପ ସାହୂୁ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ବନୀପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜ୍ୱାଇଁର ଉନ୍ମତ୍ତ କାଣ୍ଡ ଯୋଗୁଁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହରୁ ଜ୍ୱାଇଁ ପେଟ୍ରୋଲ ଢାଳି ଶାଶୁ, ଶ୍ୱଶୁର ଓ ନିଜ ପତ୍ନୀଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ହେଲେ ନିଆଁ ଲଗାଇବା ସମୟରେ ଜ୍ୱାଇଁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଝିଅର ଗୁରୁତର ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ୱଶୁର ନବଘନ ସାହୁ, ଜ୍ୱାଇଁ ଭଦ୍ରକ ତିହିଡ଼ିର ହରେକୃଷ୍ଣ ମଲ୍ଲିକଙ୍କ ସମେତ ତାଙ୍କ ଶାଶୁ ଏବଂ ସ୍ତ୍ରୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ,ତିର୍ତୋଲ ଏସଡିପିଓଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି।

ନାରକୀୟ କାଣ୍ଡ ଘଟାଇଥିବା ଜ୍ୱାଇଁ ହରେକୃଷ୍ଣ ମଲ୍ଲିକଙ୍କ (କାଠିଆ) ଘର ଭଦ୍ରକର ତିହିଡି ଥାନା ବାଲିତିତିରି ଗ୍ରାମରେ ବୋଲି ଜଣାପଡିଛି।ସେ ମୃତ୍ୟୁ ବରଣ କରିଥିବା ଝିଅ ରୁବିନାକୁ କିଛି ମାସ ତଳେ ବିବାହ କରିଥିଲେ।ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ସଂପର୍କ ନଥିଲା ବୋଲି ପଡୋଶୀ ଙ୍କ ଠାରୁ ଜଣାପଡିଛି।ବିଳମ୍ବିତ ରାତିରେ ଶଶୁର ଘରକୁ ଆସି ଏହି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଇଛି । ଶଶୁର ଘର ଲୋକ ଛଟପଟ ହେଉଥିବା ବେଳେ ପେଟ୍ରୋଲଢାଳି ନିଆଁଲଗାଇ ଖସିଯାଉଥିବା ଜ୍ୱାଇଁ ହରେକୃଷ୍ଣକୁ ମାଡିବସିଥିଲା ଶଶୁର ନବଘନ।ଫଳରେ ଶଶୁର ଜ୍ୱାଇଁ ଯୁଗଳବନ୍ଦୀ ଅବସ୍ଥାରେ ମରିପଡିଥିବା ଦେଖିବାକୁ ମିଳିଛି।ଝିଅ ରୁବିନା ନିଆଁରେ ପୋଡି ଛଟପଟ ହେଉଥିବା ବେଳେ ପଡୋଶୀ ମାନେ ଉଦ୍ଧାର କରି ପ୍ରଥମେ କୁଜଙ୍ଗ ପରେ କଟକ ଚିକିତ୍ସା ପାଇଁ ନିଆଯାଇଥିଲା।କଟକରେ ତାଙ୍କର ମୃତ୍ୟୁ ହୋଇଥିଲା ।