(ଚିତରଞ୍ଜନ ସାହୁ): ଆଜି ବରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାପରିଷଦ ସମୀକ୍ଷା ବୈଠକରେ ସରକାରୀ କାର୍ଯ୍ୟକ୍ରମରେ ଉପେକ୍ଷା କରାଯାଉଥିବା ନେଇ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ପଦ୍ମପୁରର ବିଜେପି ବିଧାୟକ ପ୍ରଦୀପ ପୁରୋହିତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବରଗଡ଼ ଜିଲ୍ଲାରେ ଆୟୋଜିତ ହେଉଥିବା ସରକାରୀ କାର୍ୟ୍ୟକ୍ରମମାନଙ୍କରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଥିଲେ ପ୍ରଦୀପ ପୁରୋହିତ ।
ଅପରପକ୍ଷେ ବିଜୁ ଜନତା ଦଳ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ନିଜ ଦଳୀୟ କାର୍ଯ୍ୟକ୍ରମ ଭାବେ ବ୍ୟବହାର କରୁଛି । ଗତ କିଛିଦିନ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ହୋଇଥିବା ରାସନ କାର୍ଡ ବଣ୍ଟନ କାର୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ବିଧାୟକଙ୍କୁ ଡକାଯାଇନଥିଲା ବରଂ ବିଜୁ ଜନତା ଦଳର ଜିଲ୍ଲା ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଡକା ଯାଇଥିଲା । ଆମ ଗାଁ ଆମ ବିକାଶ ଓ ରାସନକାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମ ଆୟୋଜନରେ ସାଧାରଣ ଜନତାଙ୍କ ଅର୍ଥ ତଥା ରାଜ୍ୟ ରାଜକୋଷର ପୁଞ୍ଜି ନିବେଶ ହୋଇଥାଏ ମାତ୍ର ଏଥିରେ କୌଣସି ଅସ୍ଵାଭାବିକତା ନାହିଁ ବୋଲି ବୈଠକରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିବାରୁ ଏହି ଘଟଣାକୁ ନେଇ ଆଜି ଜିଲ୍ଲା ବିଧାୟକ ପ୍ରଦୀପ ପୁରୋହିତ ଉତକ୍ଷିପ୍ତ ହୋଇପଡିଥିଲେ । ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ସାଂସଦ ପ୍ରଭାସ ସିଂ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।