ଯାଜପୁରରେ ୧୪୪ ଧାରା ଜାରି, ବାରୁଣୀ ସ୍ନାନ ବାତିଲ

(ମମତା ସାମଲ)ରିପୋର୍ଟସଟୁଡେ: କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ମାର୍ଚ୍ଚ ୨୧ରେ ହେବାକୁ ଥିବା ପ୍ରସିଦ୍ଧ ବାରୁଣୀ ସ୍ନାନ ବାତିଲ କରାଯାଇଛି । ଜିଲ୍ଲା ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟ ସୂତ୍ରରୁ ସୂଚନା ମିଳିଛି ।
ସେହିପରି ଗଞ୍ଜାମ ଜିଲ୍ଲାରେ କୌଣସି ଜନସମାଗମ ହୋଇପାରିବ ନାହିଁ। ସେଥିପାଇଁ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏପରିକି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ଚୈତ୍ର ମେଳା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ମାଆଙ୍କର ଏହି ମେଳା ହୋଇଥାଏ। ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଆସୁଛନ୍ତି। ମାନସିକ ପୂରଣ ପାଇଁ ପୂଜା କରୁଛନ୍ତି। ତେବେ ‘କରୋନା’ ପାଇଁ ଜିଲ୍ଲା ପ୍ରଶାସନ ମାଆଙ୍କ ଏହି ଯାତ୍ରାକୁ ମହାଆଡ଼ମ୍ୱରେ ନକରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ମାଆଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ମାନସିକଧାରୀମାନେ ପୀଠରେ ମୁଣ୍ଡନ କରିପାରିବେ ନାହିଁ। ଏହାଛଡ଼ା ମେଳା ସମୟରେ ତାରା ତାରେଣୀ ପୀଠକୁ ଚାଲିବାକୁ ଥିବା ଗାଡ଼ି ବନ୍ଦ ରହିଛି। ଆଜି ବସିଥିବା ଚୈତ୍ର ମେଳା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ତେବେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀ ବିରୋଧ କରିଛନ୍ତି। ସେହିପରି ମାର୍ଚ୍ଚ ୧ ତାରିଖରୁ ହେବାକୁ ଥିବା ଦଣ୍ଡନାଚକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ‘କରୋନା’ର ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।