(ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଂଚାୟତ ଗୁଣ୍ଡିଚାନାଳି ମଲାର ସାହିର ଦମ୍ପତି ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନାଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳକୁ ଗାଁର ନାରାୟଣ ପ୍ରଧାନଙ୍କ ପୁଅ କୁଶ ପ୍ରଧାନ ଓ ତାଙ୍କ ପତ୍ନୀ ରିଙ୍କି ଦେହୁରୀ ଗାଁ ପାଖ ଜଙ୍ଗଲକୁ ମହୁ ସଂଗ୍ରହ କରିବା ପାଇଁ ଯାଇଥିଲେ। ଫେରିବା ବେଳକୁ ଗାଁ ପାଖରେ ବୋହି ଯାଇଥିବା ରାମିଆଳ ନଦୀରେ ଅଧିକ ପାଣି ଆସି ଯାଇଥିଲା। ନଦୀ ପାର ହେଲାବେଳକୁ ଉଭୟ ଦମ୍ପତି ନଦୀରେ ଭାସି ଯାଇଥିଲେ। ପଛରେ ଆସୁଥିବା ବାସନ୍ତୀ ପ୍ରଧାନ ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇ ଥିଲେ। ଗାଁ ଲୋକମାନେ ଆସି ଖୋଜା ଖୋଜି କରିବା ପରେ ପାଇନଥିଲେ। ପରେ ଏହି ଖବର କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ୟ୍ୟ ଓ ବିଡିଓ ଜ୍ୟୋତିଶଙ୍କର ସାହୁଙ୍କୁ ଜଣାଇବା ପରେ କଙ୍କଡାହାଡରୁ ଅଗ୍ନିସମ ବାହିନୀ ଆସି ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ।