(ସୌମ୍ୟ ରଂଜନ ସେଠୀ) : ଆସିଛି ପାର୍ବଣର ରତୁ ଶରତ, ଆଉ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ବିଶ୍ୱକର୍ମା । ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା । ସେଥିପାଇଁ ଶିଳ୍ପ ଓ କାରଖାନାରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ସହ ଶିଳ୍ପକଳାର ଜନକ ବୋଲି ମଧ୍ୟ କୁହାଯାଏ । ସେ ଲାଗି ଚତୁର୍ଭୁଜ ବିଶ୍ୱକର୍ମା ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦେଖାଯାଏ ବ୍ରହ୍ମାଙ୍କ ଆଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତା ମାନଙ୍କର ଶସ୍ତ୍ର, ବିମାନ ଆଦି ଏହାଙ୍କଦ୍ୱାରା ନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା । ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ ।