ଅଗ୍ନିପଥ ନିଆଁ : ୩୬୯ ରେଳ ସେବା ପ୍ରଭାବିତ

ଅଗ୍ନିପଥ ଯୋଜନାର ବିରୋଧରେ ପୁରା ଦେଶ ହୁହୁ ହୋଇ ଜଳିବାରେ ଲାଗିଛି ।

(ଦିଲ୍ଲୀ) : ଅଗ୍ନିପଥ ଯୋଜନାର ବିରୋଧରେ ପୁରା ଦେଶ ହୁହୁ ହୋଇ ଜଳିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା  ୟୁପି,ବିହାର ଏବଂ ହରିଆଣା ସମେତ ତେଲେଙ୍ଗାନାରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଛି। କିଛି ସ୍ଥାନରେ ଟ୍ରେନ ଉପରେ ଆକ୍ରମଣ କରାଯାଉଛି ତ ଆଉ କେଉଁଠି ଟ୍ରେନରେ ନିଆଁ ଲଗାଇ ଦିଆଯାଇଛି। ଫଳରେ ପୂରା ଦେଶରେ ୩୬୯ ରେଳ ସେବା ପ୍ରଭାବିତ ହୋଇଛି। ଏନେଇ ରେଳ ଅଧିକାରୀ ସୂଚନା ଦେଇଛନ୍ତି।

 

ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଏହି ଯୋଜନାର ବିରୋଧରେ ହେଉଥିବା ପ୍ରଦର୍ଶନ ଯୋଗୁ ଶନିବାର ୩୬୯ ଟ୍ରେନ ବାତିଲ କରାଯାଇଛି। ଏଥିରେ ୨୧୦ ମେଲ ଓ ଏକ୍ସପ୍ରେସ ଟ୍ରେନ ଏବଂ ୧୫୯ ଲୋକାଲ ପେସେଞ୍ଜର ଟ୍ରେନ ସାମିଲ ରହିଛି। ରେଳ ଅଧିକାରୀ ଆହୁରି କହିଛନ୍ତି ଯେ ଦିଇଟି ଟ୍ରେନକୁ ଆଂଶିକ ଭାବେ ବନ୍ଦ ରଖାଯାଇଛି। ଫଳରେ ବାତିଲ ହୋଇଥିବା ଟ୍ରେନ ସଂଖ୍ୟା ୩୭୧ ରେ ପହଞ୍ଚିଛି।

 

ସୂଚନାନୁଯାୟୀ , କେନ୍ଦ୍ର ସରକାର ମଙ୍ଗଳବାର ତିନି ସେନାରେ ଭର୍ତ୍ତି ପାଇଁ ନୂଆ ଯୋଜନା ଅଗ୍ନିପଥ ଲଞ୍ଚ କରିଛନ୍ତି। ଅଗ୍ନିପଥ ଯୋଜନା ଘୋଷଣା କରି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ଯୋଜନାରେ ୧୭ ରୁ ୨୧ ବର୍ଷ ବର୍ଗର ଯୁବକଙ୍କ ୪ ବର୍ଷ କାର୍ଯ୍ୟକାଳ ରହିବ। ଏଥିରୁ ୨୫ ପ୍ରତିଶତ ସେମାନଙ୍କ ୪ ବର୍ଷର କାର୍ଯ୍ୟକାଳ ସରିବା ପରେ ସେନାରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଦିଆଯିବ।