ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ପୌରପାଳିକାକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ

ବ୍ୟୁରୋ-:  ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ପୌରପାଳିକାକୁ ଗୁଣାତ୍ମକ ପାନୀୟ ଜଳ ଯୋଗାଇ ଦିଆଯିବ। ପ୍ରତ୍ୟେକ ଘରକୁ ସପ୍ତାହସାରା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ

ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ଗୁଣାତ୍ମକ ପାନୀୟ ଜଳ ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଘରେ ୨୪ ଘଣ୍ଟା ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ । OWSSB ୱାଟକୋ ଏବଂ ଜନ ସ୍ବାସ୍ଥ୍ୟ ତିନି ବିଭାଗ ସହ ଆଲୋଚନା କରାଯାଇଛି । ଲୋକଙ୍କ ନିକଟରେ ୨୪ ଘଣ୍ଟା ବିଶୁଦ୍ଧ ପାଣି ପହଞ୍ଚିବାନେଇ ବିସ୍ତୃତ ଆଲୋଚନା କରାଯାଇଛି ।

ନିର୍ମାଣାଧିନ ପାନୀୟଜଳ ପ୍ରକଳ୍ପ ଗୁଡିକ ସଂପର୍କରେ ଆଲୋଚନା କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ଅଧିକାରୀମାନଙ୍କୁ ପାରାମର୍ଶ ଦିଆଯାଇଛି । ଯେଉଁ ସବୁ ପକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନି କେଉଁ କେଉଁ ସମସ୍ୟା ପାଇଁ ଅଟକିଛି, କାମ କିପରି ତ୍ଵରାନିତ ହେବ ସେନେଇ ଆଲୋଚନ ହୋଇଛି ଓ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।