ବାରାଣସୀ: ମୋଦିଙ୍କୁ ଟକ୍କର ଦେବାକୁ ୧୦୧ ପ୍ରାର୍ଥୀ ସଜ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ୧୦୨ ଜଣ ପ୍ରାର୍ଥୀ ଠିଆ ହୋଇଛନ୍ତି । ନାମାଙ୍କନ ଦାଖଲ କରିବାର ଶେଷ ଦିନ ଏପ୍ରିଲ ୨୯ ଥିବା ବେଳେ ମୋଟ୍ ୧୦୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ମୋଦି ମଧ୍ୟ ସାମିଲ। ଏହି ତାଲିକା ଦେଖି ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ଆୟୋଗ ହତଚକିତ ହୋଇ ପଡିଛନ୍ତି।
ସୂଚନା ମୁତାବକ ଯଦି ନାମାଙ୍କନ ପ୍ରତ୍ୟାହାର ପରେ ଏହି ସଂଖ୍ୟା ୬୪ ପର୍ୟ୍ୟନ୍ତ ନହୁଏ ତେବେ ଏହି ଆସନରେ ନିର୍ବାଚନ ଆୟୋଗଙ୍କୁ ବାଲାଟ ପେପରରେ ମତଦାନ କରିବାକୁ ବିବଶ ହେବାକୁ ପଡ଼ିବ।
ଏସପି-ବିଏସପି ମେଣ୍ଟ ପ୍ରାର୍ଥୀ ତଥା ବରଖାସ୍ତ ବିଏସଏଫ ଯବାନ ତେଜ ବାହାଦୂର ଯାଦବ, କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ, ପରିଚିତ ହକି ଖେଳାଳି ତଥା ପଦ୍ମଶ୍ରୀ ମହମ୍ମଦ ସାହିଦଙ୍କ ଝିଅ ହିନା ସାହିଦ ପ୍ରମୁଖ ସାମିଲ। ସ୍ଵାଧୀନ ପ୍ରାର୍ଥୀ ରୂପେ ଅତିକ ଅହମ୍ମଦଙ୍କ ନାମାଙ୍କନ ପତ୍ର ତାଙ୍କର ପୁତୁରା ସାହାନଓ୍ଵାଜ ଆଲମ ଦାଖଲ କରିଛନ୍ତି। ଏହା ବ୍ୟତୀତ ତେଲଙ୍ଗାନାରୁ ଆସିଥିବା ହଳଦି ଚାଷୀଙ୍କ ପ୍ରତିନିଧି କୁଣ୍ଟା ଗଙ୍ଗାରାମ ମୋହନ ରେଡ୍ଡୀଙ୍କ ସହିତ ଅନ୍ୟ ଚାଷୀ ନାମାଙ୍କନ ରହିଛି । ଅନ୍ତିମ ଦିନରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଭାରତୀୟ ସମାଜ ପାର୍ଟିର ସୁରେନ୍ଦ୍ର, ରାମରାଜ୍ୟ ପରିଷଦର ଭଗବାନ ପାଠକ, ରାଷ୍ଟ୍ରୀୟ ବନ୍ଧୁତ୍ଵ ପାର୍ଟିରୁ ଜମ୍ମୁର ଛଜ୍ଜୁ ରାମ ଗୁପ୍ତା, ଫିରୋଜବାଦର ପ୍ରୀତି ମିଶ୍ର, ଭାରତୀ ଇନସାଫବାଦୀ ପାର୍ଟିରୁ ମିର୍ଜାପୁରର ଜୟ ପ୍ରକାଶ, ଲୋକପ୍ରିୟ ସମାଜ ପାର୍ଟିରୁ ରୋହନିଆର ଛେଦିଲାଲ ସମେତ ମୋଟ୍ ୭୧ ଜଣ ସାମିଲ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ମେ ୨ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ। ଏବେ ସଭିଙ୍କ ନଜର ଏହା ଉପରେ ଯେ କେତେ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବେ ଏବଂ କେତେ ଜଣଙ୍କ ନାମାଙ୍କନ ଖାରଜ ହେବ। ଯଦି ପ୍ରାର୍ଥୀଙ୍କ ସଂଖ୍ୟା ୬୪ରୁ ଅଧିକ ରୁହେ ତେବେ ମତଦାନ ବାଲାଟ ପେପରରେ ହେବ କାରଣ ଗୋଟିଏ ଇଭିଏମରେ ୧୬ ପ୍ରାର୍ଥୀଙ୍କ ନାମ ରହିଥାଏ।