ରେପୋ ସହ ଯୋଡି ହେଲା ଋଣ ସୁଧ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ନିଜର ଋଣ ସୁଧକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ସହ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇଡିବିଆଇ ବ୍ୟାଙ୍କ ତରଫରୁ ଏକ୍ସଟର୍ନାଲ୍ ବେଞ୍ଚମାର୍କ ହାର ଭାବେ ରେପୋ ହାରକୁ ଗ୍ରହଣ କରାଯାଇଛି।
ରେପୋ ସହ ଋଣ ହାରକୁ ଯୋଡ଼ିବାର ଅର୍ଥ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ଯେଉଁଭଳି ପରିବର୍ତ୍ତନ କରିବେ ତାହା ଋଣ ସୁଧ ଉପରେ ପ୍ରତିଫଳିତ ହେବ। ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ ନିଷ୍ପତ୍ତିର ଲାଭକୁ ଗ୍ରାହକଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଦୀର୍ଘଦିନରୁ ରିଜର୍ଭ ବ୍ୟାଙ୍କ ଅଭିଯୋଗ କରୁଥିଲା ଯେ ରେପୋ ହାରରେ ହ୍ରାସ କରାଗଲେ ମଧ୍ୟ ତାହାର ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚୁନାହିଁ। ଗ୍ରାହକଙ୍କୁ ଦର ହ୍ରାସର ଲାଭ ଦେବା ଲାଗି ବ୍ୟାଙ୍କଗୁଡ଼ିକ କୁଣ୍ଠିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ କରିବା ଲାଗି ଯେକୌଣସି ଏକ୍ସଟର୍ନାଲ୍ ବେଞ୍ଚ୍ମାର୍କକୁ ଋଣ ହାର ନିର୍ଦ୍ଧାରଣ ଲାଗି ଆଧାର ଭାବେ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା। ଅଧିକାଂଶ ବ୍ୟାଙ୍କ ରେପୋକୁ ନିଜର ଏକ୍ସଟର୍ନାଲ୍ ବେଞ୍ଚ୍ମାର୍କ ହାର ଭାବେ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର ୪ରେ ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ସର୍କୁଲାର ଜାରି କରାଯାଇଥିଲା।
ଏକ୍ସଟର୍ନାଲ୍ ବେଞ୍ଚ୍ମାର୍କ ଭାବେ ରେପୋ ହାର, ୩ ମାସ କିମ୍ବା ୬ ମାସିଆ ଟ୍ରେଜେରି ବିଲ୍ର ରିଟର୍ଣ୍ଣ କିମ୍ବା ଫାଇନାନ୍ସିଆଲ୍ ବେଞ୍ଚ୍ମାର୍କ ଅଫ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ଜାରି କରାଯାଉଥିବା ଯେକୌଣସି ହାର ମଧ୍ୟରୁ ଗୋଟିଏକୁ ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ଅଧିକାଂଶ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ରେପୋ ହାରକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ରେପୋ ହାର ୫.୪% ରହିଛି। ଏଥିରେ ଆଉ ଥରେ ହ୍ରାସ ହେବାର ସମ୍ଭାବନା ମଧ୍ୟ ଅଛି। କିଛି ବ୍ୟାଙ୍କ ପରବର୍ତ୍ତୀ ହ୍ରାସ ପର୍ୟ୍ୟନ୍ତ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଜାନୁଆରି ପରଠାରୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୧୦% ହ୍ରାସ ଘୋଷଣା କରିଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକର ଋଣ ସୁଧ ସେହି ହାର କମିନାହିଁ। ରିଜର୍ଭ ବ୍ୟାଙ୍କର ଆସନ୍ତା ମୁଦ୍ରାନୀତି ସମୀକ୍ଷା ଅକ୍ଟୋବର ୪ରେ ହେବ।
ବିଶେଷ କରି ବ୍ୟକ୍ତିଗତ, ଖୁଚୁରା, ଘର, କାର୍ ଏବଂ ଏସ୍ଏମ୍ଇ ଋଣ ନେଇଥିବା ଗ୍ରାହକମାନେ ରେପୋ ଲିଙ୍କଡ୍ ସୁଧ ହାର ଦ୍ବାରା ଲାଭାନ୍ବିତ ହେବାର ସମ୍ଭାବନା ରହିଛି।