( ଭୁବନେଶ୍ୱର / ରିପୋର୍ଟସଟୁଡେ): ରାଜନୈତିକ ବିବାଦରୁ ମାରପିଟ୍ । ଡ୍ରାମା ଚାଲିଥିଲା ବେଳେ ହାତାହାତି ହେଲେ ଦୁଇ ଗୋଷ୍ଠୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ପାରାଦ୍ୱୀପ କୁଜଙ୍ଗ ଅଂଚଳରେ ।
ସୂଚନାନୁସାରେ, ଗତକାଲି ରାତ୍ରରେ କୁଜଙ୍ଗ ସାହାରାଡିଆ ଅଂଚଳରେ ଏକ ଡ୍ରାମା ଆୟୋଜନା ହୋଇଥିଲା । ସେହି ସମୟରେ କୌଣସୀ କାରଣରୁ ସେଠାରେ ଉପସ୍ଥିତ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଗୋଟିଏ ପକ୍ଷର କିଛି ବ୍ୟକ୍ତି ଅନ୍ୟ ପକ୍ଷଙ୍କୁ ଆକ୍ରମଣ କରିଥିଲେ । ଫଳରେ ଦୁଇପକ୍ଷ ମଧ୍ୟରେ ହାତାହାତି ଯାଏଁ କଥା ଯାଇଥିଲା । ଏଥିରେ ୪ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତି କରାଯାଇଛି । ଏପରିକି ଗଣ୍ଡଗୋଳ ପାଇଁ ଡ୍ରାମାକୁ ପୋଲିସ ଅଧାର ବନ୍ଦ ରଖିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ହାତାହାତି ହୋଇଥିବା ଉଭୟ ଗୋଷ୍ଠୀ ଭିନ୍ନ ଭିନ୍ନ ରାଜନୈତିକ ଦଳର ହୋଇଥିବାରୁ ଏହି ଘଟଣା ଘଟିଥିବା କୁହାଯାଉଛି ।