(କାମାକ୍ଷାନଗର / ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୪ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ଏକ ମୁଣ୍ଡ ବିହୀନ ମୃତଦେହ ଗେଙ୍ଗୁଟିଆ ଘାଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ନିଖୋଜ ରମେଶ ସାହୁ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଂଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି । ସେପଟେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ଏ ପର୍ୟନ୍ତ ମିଳିପାରିନାହିଁ ।
ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ଆଠଟା ବେଳେ ବ୍ରାହ୍ଣଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ନାଉରିଆ ଏବଂ ସାତ ଜଣ ଯାତ୍ରୀ ମୋଟ ୯ ଜଣ ନଦୀ ପାର ହେଉଥିଲେ । ହେଲେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା । ପାଞ୍ଚ ଜଣ ପହଁରି ପହଁରି ରାତିରେ କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ ।