ଶ୍ରମିକ ଦିବସ ପାଳନ କରିବାର କାରଣ

(ରିପୋଟରର୍ସ ଟୁଡ଼େ):୧୮୮୬ରେ ଆମେରିକାର ଚିକାଗୋ ସହରରେ ହୋଇଥିବା ବିଶାଳ ଶ୍ରମିକ ସମାବେଶ ଏବଂ ୮ ଘଣ୍ଟା ଦୈନିକ ଶ୍ରମ ନିର୍ଘଣ୍ଟ ଦାବିରୁ ଆରମ୍ଭ ହୋଇଛି ଶ୍ରମିକ ଦିବସର କାହାଣୀ। ଆମେରିକାର ଶ୍ରମିକ ସଂଗଠନଗୁଡ଼ିକ ଲକ୍ଷଲକ୍ଷ ଶ୍ରମିକଙ୍କୁ ଏହି ଦାବି ଉପରେ ଏକଜୁଟ୍ କରି ରଚିଥିଲେ ଇତିହାସ। ଦାବି ପୂରଣ ପାଇଁ ଗଠିତ ସମାବେଶ ଉପରକୁ ପୋଲିସ୍ର ଅତର୍କିତ ଗୁଳିଚାଳନାରେ ଅନେକ ନିରୀହ ଜୀବନ ଟଳି ପଡ଼ିଥିଲା। ତେବେ ଏହି ରକ୍ତଦାନ ବ୍ୟର୍ଥ ଯାଇ ନ ଥିଲା। ଦାବି ବିଶ୍ୱବ୍ୟାପୀ ଶ୍ରମିକଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଶେଷରେ ଶ୍ରମିକଙ୍କ ଦାବିକୁ ସରକାର ମାନିବାକୁ ବାଧ୍ୟ ହେଲେ। ୧୮୮୯ରେ ପ୍ୟାରିସ୍ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହାସମାବେଶରେ ଶ୍ରମିକ ଶ୍ରେଣୀ ଲଢ଼େଇର ପ୍ରତୀକ ହିସାବରେ ମେ’ ପହିଲାକୁ ‘ଶ୍ରମିକ ଦିବସ’ ରୂପେ ଘୋଷଣା କରାଯାଇଥିଲା। ସେହିଦିଠାରୁ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ବିକାଶ କ୍ଷେତ୍ରରେ ଶ୍ରମିକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କୁ ଛାଡ଼ିଲେ ବିକାଶ ଅସମ୍ଭବ। ତେବେ ଏହି ଶ୍ରମିକଙ୍କଠାରୁ ବିଭିନ୍ନ ଆଳରେ କାମ ହାସଲ କରାଯାଉଛି ସତ, କିନ୍ତୁ ସେମାନଙ୍କ ସ୍ବାର୍ଥପ୍ରତି ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ। ଶ୍ରମିକ ଦିବସର ୧୩୦ବର୍ଷ ପରେ ବି ଶ୍ରମିକଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ କହିଲେ ଅତ୍ୟୁକ୍ତି ହେବନି।