ମା’ଙ୍କ ଆଗମନରେ ରାଜଧାନୀରେ ପ୍ରସ୍ତୁତ ଦୁର୍ଗାମଣ୍ଡପ

(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ଧରା ଅବତରଣ କରିଛନ୍ତି ମା ଜଗତଜନନୀ । ଆଜି ଠାରୁ ଆରମ୍ଭ ହୋଇଯାଇଛି ମା’ଙ୍କ ଷଷ୍ଠୀ ପୂଜା । ମା’ଙ୍କ ଆଗମନକୁ ନେଇ ଆଖି ଝଲସିଲା ଭଳି ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଟକୁଛି ରାଜଧାନୀର ସମସ୍ତ ପୂଜା ମଣ୍ଡପ । ଚଳିତ ବର୍ଷ ରସୁଲଗଡରେ ନିର୍ମିତ ହୋଇଥିବା ତୋରଣ ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଛି । ସମ୍ପୂର୍ଣ୍ଣ କାଗଜ ଫୁଲରେ ତିଆରି ହୋଇଥିବା ଏହି ତୋରଣଟି ଆଖି ଝଲସାଇ ଦେଉଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସିସି ଟିଭିର ବ୍ୟବସ୍ଥା ହୋଇଥିôା ବେଳେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମୀନା ବଜାର ଓ ଷ୍ଟାର ନାଇଟର ଆୟୋଜନ କରାଯାଇଛି ।
ପ୍ରତିବର୍ଷ ଭଳି ନୂଆ କରୁଥିବା ନୟାପଲ୍ଲୀରେ ପଦ୍ମାବତୀ ପାଲେସରେ ବିରାଜିଛନ୍ତି ମା’ ଦୁର୍ଗତିନାଶିନୀ । ଜଙ୍ଗଲୀ ଫଳ ଓ ପ୍ଲାଇରେ ନିର୍ମିତ ହୋଇଛି ମା’ଙ୍କର ଏହି ଆକର୍ଷଣୀୟ ତୋରଣ । ତେବେ ମା’ଙ୍କର ମସ୍ତକରେ ଚାନ୍ଦି ମୁକୁଟରେ ଝଲକିବ ମା’ଙ୍କରଏହି ମୃମୟୀ ମୂର୍ତ୍ତି ।
ଚଳିତ ବର୍ଷ ବମିଖାଲରେ ନିର୍ମିତ ହୋଇଛି ୧୨୦ ଫୁଟ ଉଚ୍ଚ ଓ ୮୦ ଫୁଟ ଦୈର୍ଘର ବିରାଟ କାଶ୍ମୀର ପାଲେସ । ପ୍ରାୟ ୩୫ ଜଣ ବେଙ୍ଗଲି କାରିଗର ଏହି ତୋରଣ ପ୍ରସ୍ତୁତି କରିଥିବା ବେଳେ ମା’ଙ୍କ ମସ୍ତକରେ ଶୋଭା ପାଇବ ଚାନ୍ଦିର ମୁକୁଟ । ସେହିପରି ଚଳିତ ବର୍ଷ ଷ୍ଟେଶନ ବଜାର ପୂଜା କମିଟି ପକ୍ଷରୁ ଔରଙ୍ଗାବାଦର ଅଜନ୍ତା ଏଲୋରା ଗୁମ୍ଫା ଶୈଳୀରେ ନିର୍ମିତ ହୋଇଛି ବିରାଟ ତୋରଣ । ଖାଲି ଏତିକି ନୁହେଁ ମଣ୍ଡପ ଭିତରେ ଆଦିମ ଯୁଗର ମାନବଙ୍କ ଜୀବନ ଶୈଳୀଠୁ ଆରମ୍ଭକରି ବର୍ତ୍ତମାନ ଯୁଗର ସହରୀ ସଭ୍ୟତାକୁ ବେଶ ନିଖୁଣଭାବେ ଚିତ୍ରିତ କରାଯାଇଛି । ସୁନା ଏବଂ ଚାନ୍ଦି ଅଳଙ୍କାରରେ ମା’ ଓ ପାଶ୍ୱର୍ ଦେବାଦେବୀଙ୍କୁ ଅଳଙ୍କାରରେ ସୁଶୋଭିତ କରାଯିବା ସହ ମା’ଙ୍କ ମସ୍ତକରେ ଶୋଭା ପାଇବ ପ୍ରାୟ ଦେଢ କିଲୋ ଓଜନର ଚାନ୍ଦି ମୁକୁଟ । ପୂଜା କମିଟି ପକ୍ଷରୁ ଦିବ୍ୟାଙ୍ଗ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜାକୁ ଆକର୍ଷଣୀୟ କରିବା ଲାଗି ରାଜଧାନୀର ସମସ୍ତ ପୂଜା ମଣ୍ଡପ ମଧ୍ୟରେ ଚାଲିଛି ପ୍ରତିଯୋଗିତା ।