(ସୁନ୍ଦର ପାଣି / କୋରାପୁଟ): ସ୍ବଚ୍ଛଳ ନଥିଲା ଗାଁର ଆର୍ଥିକ ସ୍ଥିତି। ଜମି ପଡିଆ ହୋଇ ରହୁଥିଲା । ଫଳରେ ଗ୍ରାମର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଥିଲେ । ଏବେ କିନ୍ତୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାମ ଧନ୍ଦା ପାଇଛନ୍ତି ଗାଁଲୋକେ । ଟାଙ୍ଗରା ଭୂଇଁରେ ଚାଷ କରିବାରେ ସଫଳ ହୋଇଛନ୍ତି ଚାଷୀ ।କ୍ଷେତରେ ସବୁଜ ତଟକା ପନିପରିବା । ଆଉ ସେହି ଅମଳକୁ ଦେଖି ଚାଷୀ ମୁହଁରେ ଖିଲି ଖିଲି ହସ । ଏ ଦୃଶ୍ୟ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପେଦାଡ଼ାବା ଗାଁର ପାହାଡିଆ ଭୂଇଁର । ଯେଉଁଠାରେ ବର୍ଷା ୪ ମାସକୁ ଛାଡିଦେଲେ ଅନ୍ୟ ସମୟରେ ଟାଙ୍ଗରା ଭୂଇଁ ପାଲଟୁଥିଲା କ୍ଷେତ । ଆଉ ତାପରର ଦୃଶ୍ୟ ଆପଣଙ୍କ ଆଗରେ । ମନରେ ପ୍ରଶ୍ନ ନିଶ୍ଚିତ ଯେ, ପାହାଡିଆ ଇଲାକାରେ ଧାନ, ମାଣ୍ଡିଆ ପରି ଭଳିକି ଭଳି ଶସ୍ୟ ସାଙ୍ଗକୁ କିସମ କିସମର ପନିପରିବା ଚାଷ ସମ୍ଭବପର ହେଲା କିପରି ? ତେବେ ଏସବୁ କେବଳ ସମ୍ଭବ ହୋଇପାରିଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମାଧ୍ୟମରେ ।ମନରେଗା ପାଇଁ ସବୁଜିମାରେ ପୁରିଲା ପାହାଡିଆ ଭୂଇଁସ୍ବଚ୍ଛଳ ନଥିଲା ଗାଁର ଆର୍ଥିକ ସ୍ଥିତି । ପାହାଡ ଉପରୁ ଗଦ ଗଦ ହୋଇ ବହିଯାଉଥିବା ଝରଣା ପାଣି ପହଞ୍ଚି ପାରୁନଥିଲା ଗାଁର ତଳ ମୁଣ୍ଡକୁ । ବର୍ଷାଦିନ ବ୍ୟତିତ ଉପର ମୁଣ୍ଡର ଶହ ଶହ ଏକର ଜମି ପଡିଆ ହୋଇ ରହୁଥିଲା । ଫଳରେ ନନ୍ଦପୁର ବ୍ଲକର କସନ୍ଦି ପଞ୍ଚାୟତ ଅନ୍ତର୍ଗତ ପେଦାଡ଼ାବା ଗ୍ରାମର ଲୋକେ ଦାଦନ ଖଟିବାକୁ ବିଶାଖାପାଟଣା ଓ ଅନ୍ୟାନ୍ୟ ସହରକୁ ଯିବା ପାଇଁ ବାଧ୍ୟ ହେଉଥିଲେ । କିନ୍ତୁ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏନଆରଇଜିଏସ) ମାଧ୍ୟମରେ ଦୂର ପାହାଡ଼ରୁ ବୋହି ଯାଉଥିବା ଜଳଧାରାକୁ ଗାଁ ଭିତରକୁ ଫିଲ୍ଡ଼ କେନାଲ ଦେଇ ଅଣାଯିବା ପରେ ବର୍ତ୍ତମାନ ଗାଁର ସ୍ଥିତି ବଦଳିଛଉପର ମୁଣ୍ଡରେ ଥିବା ୧୫୦ ଏକର ଜମିରେ ଜଳସେଚନ କରାଯାଇପାରିଛି । ବର୍ଷ ତମାମ ଧାନ, ମାଣ୍ଡିଆ ଭଳି ଶସ୍ୟ ଉତ୍ପାଦନ କରିବା ସହ ଭଳିକି ଭଳି ପନିପରିବା ଚାଷ କରି ଗ୍ରାମବାସୀ ଭଲ ରୋଜଗାର କରୁଛନ୍ତି । ଗାଁରୁ ଦାଦନ ଖଟିବାକୁ କେହି ଯାଉନଥିବା ପଞ୍ଚାୟତ ସରପଞ୍ଚ ରଘୁନାଥ ଖରା ଜଣାଇଛନ୍ତି ।ଏହି ଗାଁର ସଫଳତା ତାଙ୍କୁ ଅନ୍ୟ ଗାଁ ବୁଡିକରେ ମଧ୍ୟ ଅନୁରୂପ ଭାବେ କାର୍ୟ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥିବା ସେ ଜଣାଇଛନ୍ତି । ବର୍ଷ ତମାମ ରୋଜଗାର ମିଳିବାର ପ୍ରଭାବ ଗାଁରେ ବିଦ୍ୟାଳୟକୁ ଯାଉଥିବା ପିଲାଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହ ଏକ ସୁସ୍ଥ ଜୀବନ ଧାରା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି । ଫଳରେ ସମଗ୍ର ଗାଁ ବର୍ତ୍ତମାନ ମଦ ମୁକ୍ତ ହୋଇପାରିଛି ବୋଲି ଗ୍ରାମବାସୀ ମତ ଦେଇଛନ୍ତି । ପୂର୍ବେ ଏନଆରଇଜିଏସ କହିଲେ କେବଳ ରାସ୍ତା କାମକୁ ହିଁ ବୁଝାଉଥିଲା । କିନ୍ତୁ ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ କରିବା ସହିତ ଫିଲଡ଼ କେନାଲ ତିଆରି କରିବା ଭଳି ନୂତନ କାର୍ୟ୍ୟ କରିବା ଦ୍ବାରା ଲୋକେ କାମ ପାଇବା ସହ ଦୀର୍ଘସ୍ଥାୟୀ ରୋଜଗାରର ପନ୍ଥା ସୃଷ୍ଟି କରି ଲାଭବାନ ହେଉଛନ୍ତି ।ପୂର୍ବ ଅପେକ୍ଷା ଏହି ଯୋଜନାରେ ମଜୁରୀ ଅର୍ଥ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆସିଥିବା ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ଡିଆରଡିଏର ଏପିଡ଼ି ମହେଶ ନାୟକ ଜଣାଇଛନ୍ତି । ଜିଲ୍ଲାରେ କସନ୍ଦି ପଞ୍ଚାୟତରେ ଏନଆରଇଜିଏସ ମାଧ୍ୟମରେ ହୋଇଥିବା ଅଭିନବ ପ୍ରୟାସ ଓ ଜିଲ୍ଲାର ସାମଗ୍ରିକ ଉପଲବ୍ଧିକୁ ଆଖିରେ ରଖି କସନ୍ଦି ପଞ୍ଚାୟତକୁ ଏବଂ କୋରାପୁଟ ଜିଲ୍ଲାକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ସଫଳତାର ଏହି ସୋପାନ ହାସଲ କରିବା ପରେ ଏହି ଯୋଜନାର ଲାଭ ଅଧିକରୁ ଅଧିକ ଲୋକ କିପରି ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ।