ନକ୍ସଲ ବିସ୍ଫୋରଣ: ୧୬ ଯବାନ ସହିଦ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ମହାରାଷ୍ଟ୍ରର ଗଡଚିରୋଲିରେ ନକ୍ସଲ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି । ଏହି ଆକ୍ରମଣରେ ୧୬ ଜଣ ଯବାନ ସହିଦ୍‌ ହେବା ସହ ଏକାଧିକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲମାନଙ୍କରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ଗଡଚିରୋଲି ପୁଲିସର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ କମାଣ୍ଡୋ ବାହିନୀର ୧୬ ଜଣ ଯବାନ ଏକ ଭ୍ୟାନ୍‌ରେ ଯାଉଥିବା ବେଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ଭ୍ୟାନରେ ଥିବା ସମସ୍ତ ୧୬ ଜଣ ଯବାନ ସହିଦ୍‌ ହେବା ସହ ଭ୍ୟାନ୍‌ର ଚାଳକର ମଧ୍ୟ ମୃତ୍ୟୁ ହୋଇଛି। ଘଟଣା ସଂପର୍କରେ ଖବର ପାଇବା ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ଘଟଣାରେ ସୁରକ୍ଷା ବାହିନୀର ୧୦ ଜଣ ଯବାନ ଆହତ ହୋଇଥିବା ଜାଣିବାକୁ ମିଳିଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା ।