ଗର୍ଜିଲେ ଦାମ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କେଉଁ ଦଳରେ ମିଶିବେ ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା ଦାମଙ୍କ ପୁଅ ସମ୍ବିତ ରାଉତଙ୍କୁ । ସେ ପାରାଦୀପ ପାଇଁ ଆଶାୟୀ ଥିବା କହିଥିଲେ । ବାପାଙ୍କ ସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ ବିଜେଡିରେ ବାପା ମିଶିବାର ପ୍ରଶ୍ନ ଉଠୁନାହିଁ । ବାପା ଭାରି ସ୍ୱାଭିମାନୀ ।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ ଗର୍ଜିଛନ୍ତି ବିଜେଡି ଓ ଦଳ ସୁପ୍ରିମୋଙ୍କ ଉପରେ । ବିଜେଡିକୁ ଫେରିବା ପ୍ରସଙ୍ଗରେ ଡାକ୍ତର ରାଉତ କହିଛନ୍ତି ପକାଇଥିବା ଛେପ ଢ଼ୋ ଢୋକିବା ଲୋକ ସେ ନୁହଁନ୍ତି। ବିଜେଡି ଏବେ ନବୀନ ନିବାସର ଅକ୍ଷୟ ଓ କାଳିଆ ଏବଂ ପାଣ୍ଡିଆନ ଓ ବବି ଦାସ ମଧ୍ୟରେ ସୀମିତ ହୋଇଯାଇଛି। ତାଙ୍କୁ ଦିଆଯାଇଥିବା ଅପମାନର ସେ ପ୍ରତିଶୋଧ ନେବେ। ଏଥିପାଇଁ ସେ କାହାକଥା ମଧ୍ୟ ଶୁଣିବେନି । ପୁଅ,ଝିଅ କିମ୍ବା ସ୍ତ୍ରୀ କାହାକଥା ସେ ଶୁଣିବେନି। ତାଙ୍କ ବିବେକ ଯାହା କହିବ ତାହା ହିଁ କରିବେ । ସେ କହିଥିଲେ, ତାଙ୍କର ୪୦ବର୍ଷର ରାଜନୈତିକ ଜୀବନକୁ ଗୋଟିଏ ମୁହୂର୍ତ୍ତରେ ନଷ୍ଟ କରିଦିଆଯାଇଥିଲା। ମୋତେ ନିନ୍ଦିତ କରାଗଲା । ମୋ ନିନ୍ଦାର ପ୍ରତିଶୋଧ ନେବି । ନବୀନ ପଟ୍ଟନାୟକକୁ ଛାଡିବି ନାହିଁ ବୋଲି ଦମ୍ଭୋକ୍ତିର ସହ କହିଥିଲେ ଦାମ । ସେ ଆହୁରି ମଧ୍ୟ କହିଥିଲେ ମୋର ଗୋଟିଏ ଲକ୍ଷ୍ୟ, ନବୀନ ପଟ୍ଟନାୟକ ଆଉ ସରକାର ଗଢ଼ିନପାରନ୍ତି। ଶେଷ ନିଶ୍ୱାସ ଥିବା ଯାଏ ଏଥିପାଇଁ ଲଢ଼େଇ ଜାରି ରଖିବି। । ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବା ପାଇଁ ସେ ଲଢ଼େଇ ଜାରି ରଖିବେ। ଏହି ଲଢ଼େଇ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ହେବ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି।