ଗଛରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): ନବରଙ୍ଗପୁର ହିରଲିରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ଏକ ଗଛରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି । ମହିଳା ଜଣକ ଉକ୍ତ ଅଞ୍ଚଳର ଏକ ହଷ୍ଟେଲରେ କାର୍ଯ୍ୟରତ ଥିଲେ । ସେ ରାଇଘର ବ୍ଲକ୍‌ ଅନ୍ତର୍ଗତ ଡଙ୍ଗରିପାରା ଗ୍ରାମର ଗୁରୁବାରୀ ଗୋଣ୍ଡ ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ହଷ୍ଟେଲ୍‌ର ଅନ୍ତେବାସୀମାନେ ରାତ୍ରଭୋଜନ ଖାଇ ଶୋଇବାକୁ ଚାଲିଯାଇଥିଲେ। ଆଜି ସକାଳୁ ସେମାନେ ଜଳଖିଆ ଖାଇବାକୁ ଗୁରୁବାରୀଙ୍କୁ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ତାଙ୍କୁ ଫୋନ୍‌ କଲେ ମଧ୍ୟ ସେ କଲ୍‌ ଗ୍ରହଣ କରୁ ନ ଥିଲେ। ଅନ୍ତେବାସୀମାନେ ତାଙ୍କୁ ଆଖପାଖ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।
ପରେ ହଷ୍ଟେଲ୍‌ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ ଗଛରେ ଜଣେ ଯୁବତୀଙ୍କ ଶବ ଝୁଲୁଥିବା ଖବର ମିଳିଥିଲା। ସେ ହିଁ ହଷ୍ଟେଲ୍‌ର ପାଚିକା ଗୁରୁବାରୀ ବୋଲି ଜଣାପଡ଼ିଲା। ନବରଙ୍ଗପୁର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।