କୋଦାଳରେ ଛେଚି ବାପାକୁ ହତ୍ୟା କଲା ପୁଅ

(ରିପୋର୍ଟର୍ସ ଟୁଡେ /ମଧୁସ୍ମିତା ତ୍ରିପାଠୀ ): ସମ୍ପତି ଲୋଭର ବଶବର୍ତ୍ତୀ ହୋଇ ବାପାକୁ କୋଦାଳରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ସିଂହବିଲା ଗ୍ରାମରେ । ମୃତକ ହେଉଛନ୍ତି ଉକ୍ତ ଗ୍ରାମର ଗୋପାଳ ସାହୁ । ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଟିକା ସମୟରେ ଗୋପାଳ ଓ ତାଙ୍କ ପତ୍ନୀ ସୁନେଇ ଘରେ ଥିବାବେଳେ ମଦନ ଘରେ ପହଞ୍ଚି ଗୋପାଳକୁ ସମ୍ପତି ପାଇଁ ପିଟାପିଟି କରିଥିଲା । ଏହା ଦେଖିବାପରେ ସୁନେଇ ଭୟଭୀତ ହୋଇ ପଡୋଶୀ ଲୋକଙ୍କୁ ଡାକିବା ପାଇଁ ଦୌଡି ଯାଇଥିଲେ । ଫେରିବା ପରେ ଗୋପାଳଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଗିଚାରେ ଦେଖିବାକୁ ପାଇଥିଲେ । ଘଟଣା ଦେଖିବା ପରେ ପଡୋଶୀ ଲୋକମାନେ ମଦନକୁ ଧରି ଏକ ଖୁଣ୍ଟରେ ବାନ୍ଧି ଦେଇ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କ ମୃତ ଦେହ ଏବଂ ଗୁହାଳ ପାଖରେ ଲୁଚାଯାଇଥିବା ଉକ୍ତ କୋଦାଳକୁ ଜବତ କରିବା ସହ ଅଭିଯୁକ୍ତ ମଦନକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।