ଉପଭୋକ୍ତା ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ

(ଦୀପକ ମିଶ୍ର / ଉଦଳା): ପୁଣି ବିଦ୍ୟୁତ କାଟକୁ ନେଇ ବିବାଦ । ଗ୍ରାମରେ ଅନେକ ହିତାଧିକାରୀଙ୍କର ବିଦ୍ୟୁତ ବିଲ୍ ବକେୟା ନେଇ ବିଦ୍ୟୁତ କାଟ କଲା ବିଭାଗ । ହେଲେ ବକେୟା ବିଦ୍ୟୁତ ବିଲ୍ ଦେବାକୁ କାର୍ଯ୍ୟାଳୟକୁ ଆସିଥିବା ହିତାଧିକାରୀ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ନେସ୍କୋ କାର୍ଯ୍ୟାଳୟରେ ।
ଉଦଳା ନେସ୍କୋ ଡିଭିଜନ ଅଧିନ କୁଟଲିଂ ଗ୍ରାମରେ ଅନେକ ଉପଭୋକ୍ତାଙ୍କର ବିଦ୍ୟୁତ ବିଲ୍ ବକେୟା ନଦେବାରୁ ଗତକାଲି ଉଦଳା ବିଦ୍ୟୁତ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ସେଠାରେ ବିଦ୍ୟୁତ କାଟ କରିଥିଲେ । ଏହାପରେ ଗ୍ରାମର କିଛି ଲୋକ ବକେୟା ବିଦ୍ୟୁତ ବିଲ ଦେବା ନିମନ୍ତେ ସ୍ଥାନୀୟ ନେସ୍କୋ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ବିଦ୍ୟୁତ ବିଲ ଦେବା ସମୟରେ ବିଦ୍ୟୁତ କାଟ କାହିଁକି କରାଗଲା ବୋଲି ଉପଭୋକ୍ତା ଚନ୍ଦନ ବିଶ୍ୱାଳ ବିଦ୍ୟୁତ କର୍ମଚାରୀଙ୍କୁ ପଚାରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ବଚସା । ଏହି ବଚସାରେ ପରସ୍ପର ଉଭୟ ବିଦ୍ୟୁତ ବିଭାଗ କର୍ମଚାରୀ ଏବଂ ଉପଭୋକ୍ତା ହାତାହାତି ହୋଇଥିଲେ । । ଉଭୟ ପକ୍ଷରୁ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ଅନ୍ୟପଟେ ଉପଭୋକ୍ତାଙ୍କ ଅଭିଯୋଗ ଯେ, ପ୍ରତ୍ୟେକ ମାସ ବିଲ୍ ଆସିବା ପରିବର୍ତ୍ତେ ୩ମାସକୁ ଥରେ ଲେଖାଏଁ ବିଲ ଆସୁଥିବାରୁ ବିଦ୍ୟୁତ ବିଲ ପ୍ରଦାନ କରାଯାଇନାହିଁ ।