(ରିପୋର୍ଟସ ଟୁଡ଼େ)ୱାଶିଂଟନ: କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱର ଜନତା ଭୟ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିସାରିଛି । ଏହି ରୋଗରେ ଏପର୍ୟ୍ୟନ୍ତ ୭୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି। ଆମେରିକାରେ ମଧ୍ୟ କରୋନା ଭାଇରସ ଯୋଗୁଁ ୬୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । ତେବେ ରୋନା ଭାଇରସ୍ର ଚିକିତ୍ସା ପାଇଁ ଭ୍ୟାକ୍ସିନ୍ ବାହାର କରିଥିବା ନେଇ ଦାବି କରିଛି ଆମେରିକା। ଖୋଦ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଏହି ଭ୍ୟାକସିନର ପ୍ରଥମ ପର୍ୟ୍ୟାୟ ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ଭ୍ୟାକସିନ ବାହାରିବା ଇତିହାସରେ ପ୍ରଥମ ଘଟଣା। ଏହାଛଡ଼ା କୋଭିଡ-୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ବହୁ ଶୀଘ୍ର ଏହି ରୋଗର ଔଷଧ ମିଳିଯିବ ବୋଲି ଟ୍ରମ୍ପ କହିଛନ୍ତି।ଏହି ଭ୍ୟାକସିନ୍ର ନାଁ ‘mRNA-1273’ ରଖାଯାଇଛି। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (ଏନଆଇଏଚ) ର ବୈଜ୍ଞାନିକମାନେ ଏହାକୁ ବିକଶିତ କରିଥିବା କୁହାଯାଇଛି। କିନ୍ତୁ ସର୍ବ ସାଧାରଣଙ୍କ ବ୍ୟବହାର ନିମନ୍ତେ ଏହି ଭ୍ୟାକସିନ୍ ଉପଲବ୍ଧ ହେବାକୁ ଆହୁରି ବର୍ଷେରୁ ୧୮ ମାସ ଲାଗିଯିବ ବୋଲି ସୂଚନା ମିଳିଛି।
ଗତକାଲି ଜଣେ ବ୍ୟକ୍ତିଙ୍କଠାରେ ଏହି ଭ୍ୟାକସିନ୍ର ପରୀକ୍ଷଣ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସ୍କ ଆହୁରି ୪୫ ଜଣଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ବୋଲି ଏନଆଇଏଚ ପକ୍ଷରୁ କୁହାଯାଇଛି।