ଆଜି ଠାରୁ ଆମେରିକାରେ ଆରମ୍ଭ ହେବ କୋରନା ଭାଇରସ ଟିକା ପରୀକ୍ଷଣ

(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): ଆଜି ଠାରୁ ଆମେରିକାରେ ଆରମ୍ଭ ହେବ କୋରନା ଭାଇରସ ଟିକା ପରୀକ୍ଷଣ । କରୋନାଭାଇରସ୍‌ ସଂକ୍ରମଣରୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ କରାଯାଇଥିବା ଟିକାର ଆଜି ଡାକ୍ତରୀ ପରୀକ୍ଷଣ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି।
ଏହି ପରୀକ୍ଷାମୂଳକ ଟିକା ନିମନ୍ତେ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ୍‌ ପାଣ୍ଠି ଯୋଗାଇଛି। ସିଟଲ୍‌ ଠାରେ ଥିବା ‘କାଇଜର୍‌ ପର୍‌ମାନେଣ୍ଟ୍‌ ଓ୍ଵାସିଂଟନ୍‌ ହେଲ୍‌ଥ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ରେ ଏହି ପରୀକ୍ଷଣ କରାଯିବ।
୪୫ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ଭିନ୍ନ ଭିନ୍ନ ମାତ୍ରାରେ ଏହି ଟିକା ଦିଆଯିବ। ପ୍ରସ୍ତୁତ ଟିକାରେ କରୋନାଭାଇରସ୍‌ ନାହିଁ। ତେଣୁ ଟିକା ନେଉଥିବା ସ୍ୱେଚ୍ଛାସେବୀଙ୍କ ଦେହରେ କରୋନାଭାଇରସ୍‌ ସଂକ୍ରମଣ ହେବାର ଆଦୌ ସମ୍ଭାବନା ନାହିଁ। ଆଜି ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଅନୁଧ୍ୟାନ କରିବା ପାଇଁ ପରୀକ୍ଷଣ କରାଯିବ । ପାର୍ଶ୍ୱ ପ୍ରତିକ୍ରିୟା ଅନୁଧ୍ୟାନ ପରେ ଯାଇ ଅଧିକ ଲୋକଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯିବ। ଆମେରିକାର ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, କୌଣସି ପୂର୍ଣ୍ଣ ବିକଶିତ ଟିକା ପ୍ରସ୍ତୁତ କରିବାକୁ ବର୍ଷେରୁ ଦେଢ଼ବର୍ଷ ସମୟ ଲାଗିଥାଏ।
କେବଳ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ ସମଗ୍ର ବିଶ୍ୱର ହଜାର ହଜାର ଗବେଷକ ଦଳ ‘କୋଭିଡ୍‌-୧୯’ ଟିକା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚଳାଇଛନ୍ତି। କେତେକ ଗବେଷକ କରୋନାଭାଇରସ୍‌ ସଂକ୍ରମଣ ପ୍ରତିହତ କରିବାକୁ ‘କାମଚଳା ଟିକା’ ଉଦ୍ଭାବନ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ନେଇ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାସେ ଦୁଇ ମାସ ବଞ୍ଚାଇ ରଖିହେବ। ଏହି ମାସେ ଦୁଇ ମାସ ମଧ୍ୟରେ ଉନ୍ନତ ଟିକା ପ୍ରସ୍ତୁତ କରାଯାଇ ପୁଣି ଆକ୍ରାନ୍ତମାନଙ୍କୁ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।