ଅବହେଳିତ ଅବସ୍ଥାରେ ମିନି ଷ୍ଟାଡିୟମ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ସେଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ଉଭୟ ଆୟୋଜକ ଓ ଖେଳାଳିମାନେ ଉପକୃତ ହୋଇଥାନ୍ତି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଥିବା ମିନି ଷ୍ଟାଡିୟମ ଅବହେଳିତ ଅବସ୍ଥାରେ ପଡିଛି। ଏହା ସମ୍ପୂର୍ଣ୍ଣ ଜଙ୍ଗଲରେ ପରିଣତ ହୋଇଛି। ୨୦୦୭ରେ ସ୍ଥାନୀୟ ବାଳକ ବିଦ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଏହି ଷ୍ଟାଡିୟମ ଏବେ ଖେଳିବା ଅନୁପଯୋଗୀ । ଏଠାରେ ପିଲା ଖେଳିବା ବଦଳରେ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ଏନେଇ ସ୍ପୋର୍ଟସ କ୍ଲବ ଏବଂ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ଏହାର ରକ୍ଷଣାବେକ୍ଷଣ ପାଇଁ ବିଡିଓ ଲରିମନ ଖରସେଲଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସୂଚନାଯୋଗ୍ୟ, ଏକଦା ଏହି ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ଖେଳ ପ୍ରତିଯୋଗିତାମାନ ହେଉଥିଲା। ବିଭିନ୍ନ ସମୟରେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମଠାରୁ ଆରମ୍ଭ କରି ଅନେକ ବ୍ଲକ ସ୍ତରୀୟ କାର୍ୟ୍ୟକ୍ରମ କରାଯାଉଥିଲା। ଷ୍ଟାଡିୟମର ମରାମତି କରିବାକୁ ସାଧାରଣରେ ଦାବି ହେଉଛି।