ସଡ଼କ ଦୁର୍ଘଟଣାରେ ଯୁବ କ୍ରୀଡାବିତ ବଶିଷ୍ଠ ମଲ୍ଲିକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମର ଯୁବ କ୍ରୀଡାବିତ ବଶିଷ୍ଠ ମଲ୍ଲିକ (୨୬)ଙ୍କ ସଡ଼କ ଦୁର୍ଘଟଣାରେ  ବିଳମ୍ବିତ ରାତ୍ରୀରେ ମୃତ୍ୟୁ ହୋଇଛି । ବଶିଷ୍ଠ ଝାରସୁଗୁଡ଼ା ବେଦାନ୍ତ କମ୍ପାନୀର ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସେ ନିଜ ଘରୁ ତାଙ୍କ କର୍ମସ୍ଥଳିକୁ ତାଙ୍କ ବାଇକ୍‌ରେ ଯାଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ପରେ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରଗଡ଼ରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ଜନ୍ମ ଗ୍ରାମ ଲୁତୁରପଙ୍କକୁ ଅଣାଯାଇଥିଲା । ଏକ ଶୋକାକୂଳ ପରିବେଶରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ତାଙ୍କ ବଡ ଭାଇ ବିମଳ ମୁଖାଗ୍ନି ଦେଇଥିଲେ । ବଶିଷ୍ଠଙ୍କ ଅନ୍ତିମ ଦର୍ଶନ ସକାଶେ ବହୁ ବ୍ୟକ୍ତି ରୁଣ୍ଡ ହୋଇଥିଲେ । ବଶିଷ୍ଠ  ଅଞ୍ଚଳର ଜଣେ ଜଣାଶୁଣା କ୍ରିକେଟ ଖେଳାଳି ଭାବେ ପରିଚିତ ଥିଲେ । ସେ ଗତ ଜାନୁୟାରୀ ୨୦ ତାରିଖରେ ବିବାହ କରିଥ‌ିବା ଜଣାପଡ଼ିଛି ।