ବାପାଙ୍କ ଗାଡି ଝିଅ ଚଳାଇନପାରିବା ଖବର ମିଥ୍ୟା: ସିପି

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବାପାଙ୍କ ଗାଡିକୁ ଝିଅ ଚଲାଇପାରିବ ନାହିଁ । ଝିଅ ଚଳାଇଲେ ଦେବାକୁ ହେବ ଜରିମାନା । ଏପରି ଖବର ସାଧାରଣରେ ଗତକାଲି ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି, ତେବେ କଣ ଗୋଟିଏ ପରିବାରର ସମସ୍ତଙ୍କ ପାଇଁ ଖଣ୍ଡିଏ ଲେଖା ଗାଡି କିଣାଯିବ? ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ପୁଲିସକୁ ସମାଲୋଚନା କରାଯାଇଛି । ଏହାକୁ ନେଇ ଲୋକଙ୍କ ଭ୍ରମ ଦୂର କରିବାକୁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମୁହଁ ଖୋଲି ଛନ୍ତି । ସେ କହିଛନ୍ତି କୌଣସି ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ସେ ଅନ୍ୟର ଗାଡି ଚଳାଇଲେ ଦେବେ ଜରିମାନ ।
ଗତକାଲି ଭଦ୍ରକରେ ଜଣେ ଛାତ୍ରୀଙ୍କୁ ଜରିମାନା ଦେବାକୁ ନେଇ ପ୍ରଚାର ହୋଇଥିଲା କି ବାପାଙ୍କ ଗାଡି ଚଳାଇପାରିବ ନାହିଁ ଝିଅ ବା ପୁଅ । ଏପରି କଲେ ଦେବାକୁ ହେବ ଜରିମାନା । କିନ୍ତୁ ପୁଲିସ ପକ୍ଷରୁ ଜଣାଇ ଦିଆଯାଇଛି କି, ପ୍ରଥମେ ଜଣେ ଅନଧିକୃତ ଚାଳକଙ୍କୁ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲାଇବାକୁ ଅନୁମତି ଦେବା ଏବଂ ଦ୍ୱିତୀୟରେ ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଯାତ୍ରା କରିବା ନେଇ ଛାତ୍ରୀଙ୍କୁ ଜରିମାନା ଦେବାକୁ ପଡିଛି । ବାପାଙ୍କ ଗାଡିକୁ ଝିଅ ନଚଲାଇବା ଖବର ସମ୍ପୁର୍ଣ୍ଣ ମିଥ୍ୟା ।