(ଖଗେଶ୍ୱର ପିଙ୍ଗୁଆ / ପାଲଲହରା ) : ଗାଁର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାଳମାଳ ଯୋଜନା ହେଲେ ଆଜିବି ଏମିତି ଗାଁ ଅଛି ଯେଉଁଠି ସରକାରୀ ସୁବିଧା ତ ଦୂରର କଥା ମୌଳିକ ସୁବିଧା ବି ସାତ ସପନ । ଏଠାରେ ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା । ରୋଗୀକୁ ଭଗବାନ ହିଁ ଭରସା । ପିଇବା ପାଇଁ ପାଣି ଓ ବିଦ୍ୟୁତ ଭଳି ଦୌନିକ ସୁବିଧା ବି ସାତ ସପନ ।
ଅନୁଗୁଳୁ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଆଲୋରୀ ପଂଚାୟତରେ ସାପଝରା ଗାଁ ଅନ୍ଧାରୀ ସାହି ଏଠି ପାଖପାଖି ୫୦ ବର୍ଷ ହେବ ରହି ଆସୁଛନ୍ତି ଜୁଆଙ୍ଗ ସଂପ୍ରଦାୟର ୩୦ ପରିବାର । ମୂଲ ମଜୁରୀ କରି ଚଳିଥାଏ ଏମାନଙ୍କ ତେଲ ଲୁଣର ସଂସାର । ମୌଳିକ ସୁବିଧା ସତରେ ଯେମିତି ସାହିକୁ ପର କରି ଦେଉଛି । ସାହିକୁ ରାସ୍ତାଟିଏ ନାହିଁ କି ଶିକ୍ଷା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର କି ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ । ନଦୀ ନାଳ ଡ଼େଉଁ ଜଙ୍ଗଲ ରାସ୍ତାରେ ପିଲାମାନେ ପାଠ ପଢିବାକୁ ଯାଅ।।ନ୍ତି ପାଖାପାଖି ୫ କିଲୋମିଟର ଦୂର ସାପଝରାର ପ୍ରାଥମିକ ବିଦ୍ୟାଳୟକୁ । ପ୍ରାୟ ୧୪ /୧୫ ଜଣରୁ ଅଧିକ ବୃଦ୍ଧାଙ୍କୁ ମିଳିପାରୁନି ଭତା । ବଣ ଜଙ୍ଗଲ ଘେରାରେ ଏହି ଗାଁକୁ ପହଞ୍ଚିପାରୁନି ସରକାରୀ ସୁବିଧା । ସରକାରଙ୍କ କଟ୍ରୋଲ ଚାଉଲ ପାଇଁ ପାହାଡ଼ ପର୍ବତ ଡ଼େଇଁ ପ୍ରାୟ ୮ କିମି ଯାଆନ୍ତି ଆଣିବାକୁ । ଏମିତି ଖୋଦ ସରପଂଚ ମଧ୍ୟ ଥରୁଟିଏ ହେଲେ ଯାଇନାହାନ୍ତି ଲୋକଙ୍କର ସୁବିଧା ଅସୁବିଧା ବୁଝିବାକୁ । ସ୍ଥାନୀୟ ବିଡ଼ିଓ ତିବିକ୍ରମ କୁମୁରା କହିଛନ୍ତି କି ସେ ଗାଁକୁ ଯାଇ ସ୍ଥିତି ପରିଖିବେ । ଅନ୍ୟପଟେ ବିଧାୟକ ମୁକେଶ ପାଲ ଏହି ସବୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବାସ୍ତବତା ଓ ଯୋଜନା ଠାରୁ ଦୂରରେ ଥିବା ଏହି ଗାଁ କେବେ ସରକାରୀ ସହାୟତା ପାଇବେ ତାହା ଦେଖିବାକୁ ବାକି ରହିଲା ।