ଭୁବନେଶ୍ୱର:ଆସନ୍ତା କାଲି ହେବାକୁ ଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏନେଇ ବାରବାଟୀ ପିଚ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ବେଳେ କଟକ ସହରବାସୀ ମଧ୍ୟ ବେଶ୍ ଉତ୍ସାହିତ । ଗତକାଲି ଉଭୟ ଦଳର ଖେଳାଳି ମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ଦୁଇ ଦଳ ପର୍ଯ୍ୟାୟକ୍ରମେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ଭାରତୀୟ ଦଳ ଅଭ୍ୟାସ କରିବେ । ଦକ୍ଷିଣ ଆଫ୍ରିକା ଟିମ୍ ଅପରାହ୍ନ ଗୋଟାଏ ବେଳେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିବେ । ସେଠାରେ ଟିମ୍ ୨ ଘଣ୍ଟା ଧରି ଅଭ୍ୟାସ କରିବେ ।ଏହା ପରେ ସନ୍ଧ୍ୟା ୫ଟା ବେଳେ ଟିମ୍ ଇଣ୍ଡିଆ ଅଭ୍ୟାସ କରିବେ ।
ଭାରତୀୟ ଦଳ ଫ୍ଲଡ ଲାଇଟରେ ଅଭ୍ୟାସ କରିବାକୁ ସୁଯୋଗ ପାଇବେ । ସେହିପରି ଦର୍ଶକମାନେ ମଧ୍ୟ ୬ ନମ୍ବର ଗ୍ୟାଲେରୀ ଦେଇ ପ୍ରାକ୍ଟିସ ଦେଖିପାରିବେ । ପ୍ରଥମ ମ୍ୟାଚରେ ବଡ଼ ଟାର୍ଗେଟର ପିଛା କରି ଦମଦାର ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଆତ୍ମବିଶ୍ୱାସ ଉର୍ଦ୍ଧ୍ୱରେ ରହିଛି । ଏପରି ସ୍ଥିତିରେ ବାରବାଟୀରେ ଭ୍ରମଣକାରୀ ଦଳ ବିଜୟଧାରାକୁ ବଜାୟ ରଖିବାକୁ ଚାହିଁବେ। ସେପଟେ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ ଟିମର ବ୍ୟାଟିଂ ବିଭାଗ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ, ବୋଲର ଓ ଫିଲଡରଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା । ତେଣୁ ନୂଆ କ୍ୟାପଟେନ୍ ଋଷଭ ପନ୍ତଙ୍କ ନେତୃତ୍ୱରେ ଭାରତ ବାରବାଟୀ ମ୍ୟାଚ୍ ଜିତି ସିରିଜକୁ ବରାବର କରିବାକୁ ଚାହିଁବେ ।