ବିଞ୍ଝାରପୁର: ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ । ଭାରତ ବିଶ୍ୱକପ୍ ଫାଇନାଲରେ ହାରିବା ପରେ ଆତ୍ମହତ୍ୟା କଲେ ଯୁବକ । ଯାଜପୁର ବିଞ୍ଝାରପୁର ଅଂଚଳରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜରି ଗାଁର ଯୁବକ ଦେବରଞ୍ଜନ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଦେବ ରଞ୍ଜନ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦେବରଞ୍ଜନ ପୂର୍ବରୁ ମାନସିକ ରୋଗରେ ପୀଡିତ ଥିଲେ । ଗତକାଲି କ୍ଷେତକୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଗତକାଲି ସେ ଫାଇନାଲ ମ୍ୟାଚ ଦେଖୁଥିଲେ । ଭାରତ ହାରିବା ପରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।