ଗୋପ/ଜୟନ୍ତ କୁମାର ସେଠୀ : ଆସନ୍ତା ୧୬ ରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇ ସାରିଛି ଏସ ଓପି। ତେବେ ଏସଓପି ଅନୁଯାୟୀ ଆଜି ଠାରୁ ସେବାୟତ ଙ୍କ ପରିବାର ବର୍ଗ ମହାପ୍ରଭୁଙ୍କୁ ପ୍ରଥମେ ଦର୍ଶନ କରିଛନ୍ତି। ୧୨ ଓ ୧୩ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ୟ୍ୟନ୍ତ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ପୁରୀ ପୌରାଞ୍ଚଳ ବାସିନ୍ଦା ମାନେ ୧୬ ରୁ ୨୦ ତାରିଖ ପର୍ୟ୍ୟନ୍ତ ପ୍ରାଥମିକ ପର୍ୟ୍ୟାୟରେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେହିପରି ଆସନ୍ତା ୨୩ ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଶନି ଓ ରବି ସପ୍ତାହନ୍ତ ସଟଡାଉନ ପାଇଁ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବିଭିନ୍ନ ଯାନି ଯାତ୍ରା ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ତେବେ ଅକ୍ଟୋବର ମାସରେ କୋଭିଡ ସ୍ଥିତିକୁ ଦେଖି ପୁନର୍ବାର ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ପୁନର୍ବାର ନିଷ୍ପତ୍ତି ନିଆଯିବ।
ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ସେମାନେ କୋଭିଡ କଟକଣା ମାନିବା ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକାର ପ୍ରମାଣପତ୍ର ସାଙ୍ଗରେ ଧରି ଆସିବେ। ମନ୍ଦିର ଭିତରେ ଭକ୍ତମାନେ କୌଣସି ଦେବାଦେବୀଙ୍କ ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ। ଫୁଲ, ଭୋଗ, ଦୀପ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ନେଇ ପାରିବେ ନାହିଁ। ପାନ, ଗୁଟଖା ସେବନ ଉପରେ କଟକଣା ଲଗାଯାଇଥିବା ବେଳେ ଏହାକୁ ଉଲ୍ଲଂଘନ କଲେ ୫ଶହ ଟଙ୍କା ଫାଇନ ରହିଛି। ଶ୍ରୀମନ୍ଦିର ଭିତରେ ପଲିଥିନ୍ ବ୍ୟାଗ ନିଷେଧ ଥିବା ବେଳେ ଏହାକୁ ଉଲ୍ଲଂଘନ କଲେ ଏକଶହ ଟଙ୍କା ଫାଇନ ରହିଛି। ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଥିବା ବେଳେ ଭକ୍ତମାନେ କେବଳ ଭୋଗ ପାର୍ସଲ ନେଇପାରିବେ। ୬୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, ଏକାଧିକ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି, ଗର୍ଭବତି ମହିଳା, ୧୦ ବର୍ଷରୁ କମ ବୟସର ପିଲାମାନେ କୋଭିଡ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ ସେବାୟତଙ୍କ ପରିବାରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ୟ୍ୟନ୍ତ ଯେକୌଣସି ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେବାୟତ ପରିଵାର। ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଯାଇପାରିବେ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେବାୟତ ଙ୍କ ପରିବାର ବର୍ଗ ଭାବ ବିହ୍ଵଳ ହୋଇ ପଡ଼ିଛନ୍ତି।