ଭୁବନେଶ୍ବର : ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ସମସ୍ତେ ପୂଜା। କଣ୍ଠରେ ସରସ୍ୱତୀ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡିଥାନ୍ତି।ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ ।
ପୁରାଣ ଅନୁସାରେ ସୃଷ୍ଟି ଆରମ୍ଭ ସମୟରେ ଭଗବାନ ବିଷ୍ଣୁଙ୍କ ଆଜ୍ଞାରୁ ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ କିନ୍ତୁ ବ୍ରହ୍ମା ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। ଏହିସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଆଜ୍ଞା ପାଇ କମଣ୍ଡୁଳରୁ ଜଳ ବାହାର କରି ଧରିତ୍ରୀ ଉପରେ ପୃଥିବୀ ଉପରେ ଛିଞ୍ଚିଥିଲେ, ଯାହା ଦ୍ୱାରା ପୃଥିବୀରେ କମ୍ପନ ହେବା ସହ ଅଭୁତ ଶକ୍ତି ରୂପରେ ଚର୍ତୁଭୂଜ ବିଶିଷ୍ଟ ସୁନ୍ଦର ସ୍ତ୍ରୀ ପ୍ରକଟ ହୋଇଥିଲେ। ଯାହାଙ୍କ ହାତରେ ବୀଣା ଏବଂ ଅନ୍ୟ ହସ୍ତରେ ବର ମୁଦ୍ରା ଧାରଣ କରିଥିଲେ। ସେହିଭଳି ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳି ଧାରଣ କରିଥିଲେ। ଏହାପରେ ଦେବୀ ସରସ୍ୱତୀଙ୍କ ବୀଣାର ମଧୁର ଧ୍ୱନୀରୁ ସଂସାରରେ ସମସ୍ତ ଜୀବ-ଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥିଲା। ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ମାଁ ସରସ୍ୱତୀଙ୍କ ଉପରେ ଖୁସି ହୋଇ ବସନ୍ତ ପଞ୍ଚମୀ ଦିନ ଜନ୍ମ ଦିବସ ପାଳନ କରୀିବା ପାଇଁ ବରଦାନ ଦେଇଥିଲେ।ଆଉ ସେହି ଦିନଠାରୁ ସମସ୍ତ ସ୍କୁଲରେ ପାଳନ ହଉଛି | ଦୁଇବର୍ଷର କରୋନା କଟକଣା ପରେ ଏବର୍ଷ ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି ।