ଆଜି ଆଲୋକର ପର୍ବ ଦୀପାବଳି । ସାରାଦେଶରେ ଲୋକମାନେ ଆଜି ଏହି ପର୍ବକୁ ଧୁମ୍ଧାମରେ ପାଳନ କରନ୍ତି। ଏହି ଅବସରରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭକ୍ତ ଙ୍କ ଭିଡ । କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ । କାଉଁରିଆ ଜାଳି ଓ,ଦୀପଦାନ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ । ୧୪ ବର୍ଷ ଧରି ଘୋର ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ। ଏଣୁ ଏହି ଅମାବାସ୍ୟା ରାତିର ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇଥିଲେ।

ସେହିଦିନଠାରୁ ଏହି ଦିନକୁ ଦୀପାବଳି ଭାବେ ପୂଜା କରାଯାଉଛି। ଓଡ଼ିଶାରେ ଆଜି ଏହି ଦିନଟିକୁ ପୂର୍ବଜଙ୍କୁ ଦୀପ ଦାନ କରି ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ବଡ ବଡୁଆ ହୋ ଅନ୍ଧାରେ ଆସି ଆଲୋକ ଯାଅ…ଗଙ୍ଗା ଯାଅ,ଗୟା ଯାଅ,ବାଇଶି ପାହାଚେ ଗଡୁଥାଅ । ଏଭଳି କହି ପିତୃପୁରୁଷଙ୍କୁ ଆଲୋକ ବର୍ତ୍ତିକା ବା କାଉଁରିଆ ଦେଖାଇବାର ପରମ୍ପରା ରହିଛି ।

ପୟା ଶ୍ରାଦ୍ଧ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ୬ ପ୍ଲାଟୁନ୍ ପୁଲିସ ଫୋର୍ସ, ୪୦ ଜଣ ହୋମଗାର୍ଡ, ୨୦ ଜଣ ସବ୍-ଇନ୍ସପେକ୍ଟର ବା ଏସ ଆଇ, ୧୦ ଜଣ ଇନ୍ସପେକ୍ଟର, ୩ ଜଣ DSP ଏବଂ ୨ ଜଣ ଆଡିସନାଲ SP ଙ୍କୁ ନିୟୋଜିତ କରାଯାଇଛି । ଦୀପାବଳି ଦିନ ଏହି ଦିନ ମା’ ଲକ୍ଷ୍ମୀଙ୍କ ଆରାଧନା ମଧ୍ୟ କରାଯାଏ। ଦୀପାବଳି ପୂର୍ବରୁ ଘରକୁ ସଜାଇ ନୂଆ ପୋଷାକ, ଗହଣା ପିନ୍ଧି ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ଲୋକେ।