ଫିଲ୍ମ ଷ୍ଟାଇଲରେ ମୋଷ୍ଟ ୱାଣ୍ଟେଡ୍ ଅପରାଧୀକୁ କାବୁ କଲା ବୋରିଗୁମ୍ମା ପୋଲିସ । ଛତିଶଗଡ଼ର ଜଗଦଲପୁରରୁ ଟୁନା ହରିଜନକୁ ଧରିଲା ପୋଲିସ । ଟୁନା ନାଁରେ ନବରଙ୍ଗପୁର, କୋରାପୁଟ ଜିଲ୍ଲାର ବିଭିନ୍ନ ଥାନା ସମେତ ଛତିଶଗଡ଼ ଜଗଦଲପୁର ଥାନାରେ ଚୋରି ଓ ଡକାୟତି ଭଳି ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବୋରିଗୁମ୍ମା ଅଞ୍ଚଳର ବିଭିନ୍ନ ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ମଧ୍ୟ ଟୁନାର ସମ୍ପୃକ୍ତି ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏପରିକି କିଛି ଦିନ ତଳେ ବୋରିଗୁମ୍ମାର କାମରା ଅଞ୍ଚଳରେ ପୋଲିସ ଓ ଟୁନା ହରିଜନ ଏବଂ ତାର ଗ୍ୟାଙ୍ଗ ମଧ୍ୟରେ ରାତିରେ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ଆସିଥିଲା । ପୋଲିସ ଉପରକୁ ଗୁଳିମାଡ଼ ଏବଂ ପୋଲିସ ଗାଡ଼ି ଭଙ୍ଗାରୁଜା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।
ଦୀର୍ଘ ଦିନ ଧରି ପୋଲିସର ନଜରରେ ଥିବା ଟୁନାକୁ ଶେଷରେ ଜଗଦଲପୁରରୁ କାବୁ କରିବାରେ ସଫଳ ହୋଇଛି ବୋରିଗୁମ୍ମା ପୋଲିସ । କୋରାପୁଟ SP ରୋହିତ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ପୋଲିସର ଟିମ୍ ଟୁନା କୁ ଧରିବା ରେ ଲାଗିଥିଲେ । ଏହାକୁ ପୋଲିସର ବଡ଼ ସଫଳତା ବୋଲି କୁହାଯାଉଛି । ଏବେ ଟୁନାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ବୋରିଗୁମ୍ମା ପୋଲିସ ଯୋଜନା କରିଥିବା ସୂଚନା ମିଳିଛି ।